ଢେଙ୍କାନାଳ: ଆଜି ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଜଗତଜନନୀ ମା' ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳିବେ ରାଜ୍ୟବାସୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଐତିହାସିକ ଗଜଲକ୍ଷ୍ମୀପୂଜା ପାଇଁ ଢେଙ୍କାନାଳ ଜିଲ୍ଲା ବେଶ ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ । ଚିକିମିକି ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମେ । କେତେକ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ୭ରୁ ୧୦ ଦିନ ହେଇଥିବା ବେଳେ ଢେଙ୍କାନାଳ ସହରରେ ୧୧ ଦିନ ଧରି ଏହି ପୂଜା ହୋଇଥାଏ । ତେବେ ଚଳିତ ବର୍ଷ ସହରର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ।
ସାଧାରଣତଃ ଓଡିଆ ପରମ୍ପରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ପ୍ରାପ୍ତି ହେବା ନେଇ ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥି ପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ ।
ତେବେ ଏସବୁ ମଧ୍ୟରେ ଚଳିତ ବର୍ଷ ଲକ୍ଷ୍ମୀ ବଜାର ପୂଜା ପ୍ରତିଷ୍ଠାନ ତାର ୭୫ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ସାଙ୍ଗକୁ ଦେଢ଼ କୁଇଣ୍ଟାଲ ଓଜନର ଚାନ୍ଦି ମେଢ଼ ଓ ପାରମ୍ପରିକ ସାଜସଜ୍ଜା ଦେଖଣାହାରୀଙ୍କୁ ବେଶ ଆକର୍ଷିତ କରିବା ବୋଲି ମଣ୍ଡପ କର୍ମକର୍ତ୍ତା ଆଶାବାଦୀ ଅଛନ୍ତି । ଲକ୍ଷ୍ମୀପୂଜା ଅବସରରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଷାପାଟ ଥରେ ପଲିଶ୍ରୀ ମେଳାର ଆୟୋଜନ କରାଯାଇଛି । ଏହି ମେଳା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ଅନୁଷ୍ଠିତ ହେବ । ଫଳରେ ଏହା ପୂଜା ବଜାରକୁ ଆହୁରି ସରଗରମ କରିବ ।