ଢେଙ୍କାନାଳ:ରବିବାର ଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହରର ପ୍ରତିଟି ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଧୁମଧାମରେ ଚାଲିଛି ଲକ୍ଷ୍ମୀ ପୂଜା । କୁମାର ପୂର୍ଣ୍ଣିମା ରାତିରୁ ମା’ଙ୍କୁ ଆବାହନ କରାଯାଇଥିବାବେଳେ ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିବ । ଗତକାଲି (ଗୁରୁବାର)ରେ ମା’ଙ୍କ ମହାଭୋଗ ସାଙ୍ଗକୁ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ଆୟୋଜନ କରାଯାଇଛି ।
ଗତ ଦୁଇ ବର୍ଷର କୋଭିଡ କଟକଣା ଓ ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ପୂଜା ବଜାରରେ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଆଗକୁ ଆଉ ମାତ୍ର ୫ଦିନ ପୂଜା ରହିଥିବାରୁ ପୂଜା ବଜାର ବେଶ ସରଗରମ ହେବାରେ ଲାଗିଛି । ଆକର୍ଷଣୀୟ ସାଜସଜ୍ଜାରେ ପୂଜା ମଣ୍ଡପ ଆକର୍ଷିତ ହେଉଥିବାବେକେ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସମ୍ପୂର୍ଣ୍ଣ ଢେଙ୍କାନାଳ ସହର ଛାଉଣୀ ହୋଇ ରହିଛି । ଗତକାଲି ପୂଜାର ପଞ୍ଚମ ଦିନ ହୋଇଥିବାବେଳେ ମା’ ଲକ୍ଷ୍ମୀଙ୍କ ପ୍ରିୟ ବାର ଗୁରୁବାର । ଫଳରେ ସକାଳୁ ସକାଳୁ ପୂଜା ମଣ୍ଡପ ମାନଙ୍କରେ ମାଙ୍କର ସ୍ୱତନ୍ତ୍ର ରୀତି ନୀତିରେ ହୋମ ଯଜ୍ଞ କରାଯାଇଛି । ଆଉ ମା’ଙ୍କ ମହାଭୋଗ ସାଙ୍ଗକୁ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ଆୟୋଜନ କରାଯାଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।