ଢେଙ୍କାନାଳ: ପୁଣି ଜଙ୍ଗଲରକୁ ଗଲା ନରହନ୍ତା । ଜଗତପୁରରୁ କାବୁ ହୋଇଥିବା ନରହନ୍ତା ମାଈ ହାତୀ ସୁସ୍ଥ ହେବାପରେ ଛୁଆ ସହିତ ପୁଣି ଜଙ୍ଗଲରେ ଛାଡିଲା ଢେଙ୍କାନାଳ ବନବିଭାଗ । ମାଆକୁ ଖୋଜି ଖୋଜି ଜଗତପୁରରୁ ଢେଙ୍କାନାଳ ପଳାଇଗଲା ଛୁଆ ହାତୀ । ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ମାଈହାତୀ ଟ୍ରାଙ୍କୁଲାଇଜ ହେବା ପରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ(Kapilash elephant rescue center ) ସ୍ଥାନାନ୍ତର କରିଥିଲା ବନବିଭାଗ ।
ସୂଚନାଅନୁସାରେ, କଟକ ଜଗତପୁର ଅଞ୍ଚଳରେ ନିଜ ଛୁଆକୁ ହଜାଇ ଆତଙ୍କ ରଚିଥିବା ନରହନ୍ତା ମାଈ ହାତୀକୁ ପୁଣି ଜଙ୍ଗଲରେ ଛଡ଼ାଯାଇଛି । ଏହି ମାଈ ହାତୀ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ପୂର୍ବେ ଏହି ମାଈ ହାତୀର ୩ବର୍ଷର ଛୁଆକୁ କପିଳାଶ ବନାଞ୍ଚଳର ଗୁଣ୍ଡୁରାପଶି ଡ୍ୟାମ ନିକଟରୁ ବନବିଭାଗ ଠାବ କରିଥିଲା । ଛୁଆକୁ ମା ପାଖରେ ଛାଡିବା ପରେ ଏକଦା ଆତଙ୍କ ସୃଷ୍ଟି କରିଥିବା ଏହି ମା ହାତୀ ସମ୍ପୂର୍ଣ୍ଣ ଶାନ୍ତ ହୋଇପଡିଥିଲା । ଫଳରେ ଉଭୟ ମା ଛୁଆକୁ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଟ୍ରକ ଯୋଗେ ନେଇ ପୁଣି ଜଙ୍ଗଲରେ ଛଡ଼ାଯାଇଛି । ବନବିଭାଗ ପକ୍ଷରୁ ଟ୍ରକ ଯୋଗେ ମା ଛୁଆଙ୍କୁ ନିଆଯାଇ ହିନ୍ଦୋଳ ନରସିଂହପୁର ସୀମାନ୍ତ ଜଙ୍ଗଲ ଟାଲଗଣ୍ଡା ଅଞ୍ଚଳରେ ଛାଡିଥିବା ଜଣାପଡିଛି ।