ଢେଙ୍କାନାଳ: ଜଙ୍ଗଲ ଛାଡି ଏବେ ସହର ମୁହାଁ ହାତୀପଲ । ଏନେଇ ଲୋକେ ହନ୍ତସନ୍ତ । ଗତରାତିରେ ଢେଙ୍କାନାଳ ସହରର ଶ୍ୟାମଚରଣପୁର ସ୍ଥିତ ସାଇ ଆଶ୍ରମ ପରିସରରେ ଦେଖିବାକୁ ମିଳିଥିଲା ଦନ୍ତା ହାତୀ । ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ସଦର ରେଞ୍ଜ କର୍ମଚାରୀ ପହଞ୍ଚି ଦନ୍ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ l
ସୂଚନା ମୁତାବକ, ନିକଟସ୍ଥ ଶାଳ ଜଙ୍ଗଲରେ ୧୪ ଟିକିଆ ହାତୀ ପଲ ରହିଥିବା ବେଳେ ଏହି ହାତୀ ପଲଙ୍କ ମେଳରୁ ଦନ୍ତାଟି ସାଇ ଆଶ୍ରମ ଭିତରକୁ ପଶି ଆସିଥିବା ଜଣାପଡିଛି । ଏହି ହାତୀ ପଲ ସହରର ପାଖ ଇଛାଦେଇପୁର ଶାଳ ଜଙ୍ଗଲରେ ରହିଥିବାରୁ ସହରର କୁଞ୍ଜକାନ୍ତ, ଲଳିତନଗର, ଶ୍ୟାମଚରଣପୁର, ବୋରାପଦା ଓ ଭଗବାନପୁର ଆଦି ଅଞ୍ଚଳବାସୀ ଏହି ହାତୀଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ପ୍ରକାଶ ଥାଉକି, ନିକଟରେ କିଛି ଦିନରେ ତଳେ ଢେଙ୍କାନାଳ ସହର ସ୍ଥିତ ବୋରାପଦା ଅଞ୍ଚଳରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟିଥିଲା । ଲୋକମାନେ ନିଜର ଚାଷକୁ ବଞ୍ଚାଇବା ପାଇଁ ବିଦ୍ୟୁତ ତାର ବିଚାଉଛନ୍ତି । ଯାହାର ଶିକାର ହେଉଛନ୍ତି ହାତୀ । ଏହା ବ୍ୟତୀତ ଗତ ମାସେ ଭିତରେ ହାତୀ ଆକ୍ରମଣରେ 6 ଜଣଙ୍କ ଜୀବନ ଗଲାଣି । ଏହିଭଳି ଭାବରେ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଲାଗି ରହିଛି । ବନ ତେଣୁ ବନ ବିଭାଗ ଏଥିପ୍ରତି ଦୃଢ ପଦକ୍ଷେପ ନବାର ଆବଶ୍ୟକତା ରହିଛି l