ଢେଙ୍କାନାଳ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ଘଟଣା । ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ । ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳର ଏକ ଫାର୍ମ ହାଉସରେ ବିଦ୍ୟୁତ ଫାଶରେ ଏକ ହାତୀର ମୃତ୍ୟୁକୁ ନେଇ ବନ ବିଭାଗ ଆକ୍ସନ ମୋଡ୍କୁ ଆସିଛି । ହାତୀ ମୃତ୍ୟୁର ଦୁଇଦିନ ପରେ ଗତ ରାତିରେ ବନ ବିଭାଗ ପକ୍ଷରୁ ଖବର ପାଇ ମୃତଦେହ ଜବତ କରାଯାଇଥିଲା । ଆଜି ମୃତହାତୀର ମୃତଦେହ ବ୍ୟବଚ୍ଛେଦ କରିଛି ବନବିଭାଗ ।
ସେପଟେ ମୃତହାତୀ ଦେହରେ ବିଦ୍ୟୁତ ତାର ଲାଗିଥିବା ଅବସ୍ଥାରେ ଉଦ୍ଧାର ପରେ ବନବିଭାଗ ଆକ୍ସନ ମୋଡକୁ ଆସିଛି । ଆଜି ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ହାତୀ ମାରିଥିବା ଫାର୍ମ ହାଉସର ଘରେ ମିଳିତ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ହାତୀ ମୃତ୍ୟୁରେ ବ୍ୟବହୃତ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ କରାଯାଇଛି । ଏହାସହ ଚଢ଼ାଉ ବେଳେ ଉକ୍ତ ଫାର୍ମ ହାଉସରୁ ବିପୁଳ ପରିମାଣର ଚୋରା କାଠ ମଧ୍ୟ ଜବତ କରିଛି ବନବିଭାଗ । ଏ ସଂକ୍ରାନ୍ତରେ ଫାର୍ମ ହାଉସ ମାଲିକଙ୍କୁ ଗିରଫ କରି ପୋଲିସ ଜିମା ଦେଇଛି। ତେବେ କାଠ କାଟିବା ପାଇଁ ବିଦ୍ୟୁତ ବ୍ୟବହାର ଓ ପରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ପ୍ରାଣ ଯାଇଥିବା ଅନୁମାନ କରିଛି ବନବିଭାଗ । ତେବେ ଫାର୍ମ ହାଉସ ମାଲିକଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।
ଏହା ବି ପଢ଼ନ୍ତୁ: ବିପଦରେ ଗଜରାଜ: ୧୧ କେଭି ବିଦ୍ୟୁତ୍ ତାର ନେଲା ହାତୀର ଜୀବନ