ଢେଙ୍କାନାଳ:ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ପରେ ଗଜରାଜଙ୍କ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । ତଥାପି ହାତୀ ସୁରକ୍ଷା ଦିଗରେ ଚେତି ନାହାନ୍ତି ଢେଙ୍କାନାଳ ବନ କର୍ମଚାରୀ । ବନ କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଢେଙ୍କାନାଳ ବନଖଣ୍ଡରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି । କାଦୁଅରେ ଫସିବା ଯୋଗୁଁ ଏଠାରେ ଏକ ହାତୀ ଛୁଆ ପ୍ରାଣ ହରାଇଛି । ଆଜି(ଗୁରୁବାର) ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ବନାଞ୍ଚଳର କଙ୍କିଳି ଗ୍ରାମ ନିକଟ ନାଳରୁ ଏହାର ମୃତଦେହ ଠାବ ହୋଇଛି । ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ କାଦୁଅରେ ଫସିଥିବା ଏହି ହାତୀ ଛୁଆକୁ ଉଦ୍ଧାର କରିବାରେ ବନ ବିଭାଗର ଅବେହେଳା ଯୋଗୁଁ ତା'ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ମୃତ ହାତୀ ଛୁଆ ଏକ ମାଈ ହାତୀ ଅଟେ । ଏହାର ବୟସ ୨ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ପ୍ରକାଶଥାଉ କି, କଙ୍କିଳି ଗ୍ରାମ ନିକଟକୁ ହାତୀପଲ ପଶି ଆସିଥିବା ବେଳେ ଅଞ୍ଚଳବାସୀ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ହାତୀପଲରୁ ୪ଟି ହାତୀ ଦୁଇ ଦିନ ପୂର୍ବେ ନିକଟସ୍ଥ ପୋଖରୀରେ ଫସିଯାଇଥିଲେ । ତଥାପି ବନ କର୍ମଚାରୀମାନେ ଏହି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାରେ ବ୍ୟାପକ ଅବହେଳା ପ୍ରଦର୍ଶନ କରିଥିଲେ । ଯାହଫଳରେ ସେଥିମଧ୍ୟରୁ ଗୋଟିଏ ହାତୀ ଛୁଆ କଙ୍କିଳି ଗ୍ରାମ ନିକଟ ନାଳ କାଦୁଅରେ ଫସି ପ୍ରାଣ ହରାଇଛି ।