ଢେଙ୍କାନାଳ: ନିଦ ହଜାଇଛି ହାତୀ । ପୁଣି ମୁହାଁମୁହିଁ ହେଲେ ହାତୀ ଓ ମଣିଷ । ହାତୀ ଆକ୍ରମଣରେ ଚାଷୀ ଗୁରୁତର । ଧାନ କାଟିବାକୁ ଯାଇ ଦନ୍ତା ହାବୁଡ଼ରେ ପଡିଥିଲେ ଚାଷୀ । ବିଲରେ କଚାଡି ଦେଲା ଦନ୍ତା । ଗୁରୁତର ଚାଷୀଙ୍କୁ କଟକ ସ୍ଥାନାନ୍ତର ।
ଢେଙ୍କାନାଳରେ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି । ବିଶେଷ କରି ଧାନ ଫସଲ ଅମଳ ସମୟ ହେବାରୁ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ନିରୀହ ଚାଷୀମାନେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରୁଛନ୍ତି । ଏପରି ଏକ ଅଘଟଣ ଘଟିଛି ଗଁନ୍ଦିଆ ଥାନା ଆଙ୍କୁର୍ଦା ଗ୍ରାମରେ । ଆଜି ଭୋର ସମୟରେ ଗ୍ରାମର କାଳନ୍ଦୀ ପ୍ରଧାନ ନାମକ ଜଣେ ଚାଷୀ ତାଙ୍କ ବିଲକୁ ଧାନ କାଟିବାକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ହାତୀ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା । ପାଖରେ ଥିବା ଅନ୍ୟ ଲୋକମାନେ ପାଟି କରିବାରୁ ହାତୀଟି ଛାଡି ପଳାଇଥିବା ଜଣାପଡିଛି । କାଳନ୍ଦୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଥିବାବେଳେ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।