ଢେଙ୍କାନାଳ :ବଣୁଆ ହାତୀଙ୍କ ପଖାଳ ଖିଆ । ହାତୀଟି ଜଣଙ୍କ ରୋଷେଇ ଘର ଝରକା ଭାଙ୍ଗି ଶୁଣ୍ଢ ଲଗାଇ ଭାତ ହାଣ୍ଡିରୁ ଭାତ ଖାଇବା ପାଇଁ ଉଦ୍ୟମ କରୁଛି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କୁନୁଆଁ ଗାଁରେ । ଏହି ଗାଁ ଭିତରକୁ ଏବ ବଣୁଆ ହାତୀ ପ୍ରବେଶ କରିଛନ୍ତି । ଅନେକ ଫସଲ ମଧ୍ୟ ନଷ୍ଟ କରିସାରିଲେଣି । ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ ଅଛନ୍ତି । ଏହାରି ଭିତରେ ହାତୀ ଜଣଙ୍କ ଘରର ଝରକା ଭାଙ୍ଗି ଘର ଭିତରୁ ହାଣ୍ଡି ଡେକଚି ଉଠାଇ ନେଉଛି । ଏପରିକି ଖାଦ୍ୟ ମଧ୍ୟ ନଷ୍ଟ କରିଦେଉଛି । ତେବେ ହାତୀର ଏଭଳି ଉତ୍ପାତ ଦେଖି ଗ୍ରାମବାସୀଙ୍କ ନିଦ ହଜି ଯାଇଛି ।
ଖାଲିଯେ କୁନୁଆଁ ନୁହେଁ ହିନ୍ଦୋଳ ଉପଖଣ୍ଡର ରାସୋଳ, ଦଣ୍ଡିରି, କୁନୁଆଁ,କଦଳିପାଳ, ନବକିଶୋରପୁର, ହାତୁରା ଓ ମଇଧରପୁର ଗୁଡି଼କରେ ପଲ ପଲ ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଗୋଟିଏ ଗାଁ ପରେ ଆଉ ଗୋଟିଏ ଗାଁରେ ଏହି ହାତୀମାନେ ପ୍ରବେଶ କରି ଉନ୍ମତକାଣ୍ଡ ଘଟାଇ ଚାଲିଛନ୍ତି । ମାତ୍ର ବନବିଭାଗ ପକ୍ଷରୁ ହାତୀ ଗୁଡ଼ିକୁ ଆକଟ କରିବା ବା ଘଉଡାଇବାରେ ଯେତେ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ବିଫଳ ହେଉଛି । ହାତୀମାନଙ୍କର ଏପରି ଉନ୍ମତକାଣ୍ଡ ନେଇ ଏହି ଅଞ୍ଚଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ କ୍ରମଶଃ ବଢ଼ିବାରେ ଲାଗିଛି । ଫଳରେ ହାତୀ ମଣିଷଙ୍କ ମଧ୍ୟରେ ଏକ ପ୍ରକାର ଜୀବନ ନେଇ ସଂଘର୍ଷ ଚାଲିଛି । କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ବଳି ପଡିଯାଉଛି । ଏପରିସ୍ଥଳେ ହିନ୍ଦୋଳ ବନାଞ୍ଚଳର ଗ୍ରାମ ଗୁଡିକ ପାଳଟିଯାଇଛି ବଣୁଆ ହାତୀ ମାନଙ୍କ ଚରା ଭୂଇଁ । ସଞ୍ଜ ହେଲେ ଗାଁ ଗାଁରେ ବୁଲୁଛନ୍ତି ହାତୀ। ବାଡ଼ି ବଗିଚାରେ ଫସଲ ଖାଇବା ଏକ ନିତିଦିନିଆ ଘଟଣା ହେଲାଣି ।