ଢେଙ୍କାନାଳ: ଉଚ୍ଚ ଶିକ୍ଷିତାରୁ ସଫଳ ଚାଷୀ । ଓଡିଶା ମାଟିରେ ଥାଇଲାଣ୍ଡ କୋଳି ଚାଷ କରି ମାଲାମାଲ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଉଚ୍ଚଶିକ୍ଷିତ ନିରଞ୍ଜନ ପରିଡା । ନିଜର ନିଷ୍ଠା ଏବଂ ଏକାଗ୍ରତା ଯୋଗୁଁ ସେ ଗୋଚର ଜମିରେ ଫଳାଇ ପାରିଛନ୍ତି ରେଡ୍ ଆପଲ, ଗ୍ରୀନ ଆପଲ ଓ ବଲ ସୁନ୍ଦରୀ । ଏଥିରୁ ଭଲ ଦିପଇସା ଲାଭ ହେଉଥିବା ବେଳେ ଏହି ଚାଷକରି ବେଶ ଉତ୍ସାହିତ ନିରଞ୍ଜନ ।
ଗଛରେ ପେନ୍ଥାପେନ୍ଥା କୋଳି ଫଳିଥିଲା ବେଳେ କୋଳିର ଭାରରେ ନଇଁ ପଡିଛି ଗଛ । ଏହି ଲାଲ ସବୁଜ ରଙ୍ଗର କୋଳି ଦେଖିବାକୁ ଯେତିକି ମନଲୋଭା ଖାଇବା ପାଇଁ ସେତିକି ସ୍ବାଦିଷ୍ଟ । ତେବେ ଏହି ଛନଛନିଆ ଲାଲ ସବୁଜ ରଙ୍ଗର ଫଳକୁ ଦେଖିଲେ ଆଖି ଭରିଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଜାଗାରେ ବର୍ଷବର୍ଷ ଧରି ଟାଙ୍ଗରା ହୋଇ ପଡୁଥିଲା । ସେହି କ୍ଷେତରେ ଏବେ ଫଳୁଛି ସୁନାର ଫସଲ । ନିଜର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଢେଙ୍କାନାଳ ମାଟିରେ ଥାଇଲାଣ୍ଡର ଏହି କୋଳି ଫଳାଇ ନିଜକୁ ଜଣେ ସଫଳ କୋଳି ଚାଷୀ ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ । ନିଜ ଗାଁରେ ପୂର୍ବରୁ ପଡିଆ ପଡିଥିବା ଏକ ଏକର ଜାଗାରେ ସେ ବର୍ତ୍ତମାନ ଥାଇଲାଣ୍ଡର କୋଳି ଚାଷ କରୁଛନ୍ତି ।
ଏନେଇ ନିରଞ୍ଜନ କହିଛନ୍ତି,"ସ୍ନାତକ ସରିବା ପରେ ଶିକ୍ଷକତା ପ୍ରଶିକ୍ଷଣ ନେଇଥିଲି । ଆମ ପରିବାରର ସମସ୍ତେ ଚାକିରିଆ ହୋଇଥିବା ବେଳେ ମୁଁ ମଧ୍ୟ ଚାକିରି କରିବା ପାଇଁ ଆଶା କରିଥିଲି । କିନ୍ତୁ କମ ଦରମା ଯୋଗୁଁ ନିରାଶ ହୋଇଯାଇଥିଲି । କୌଳିକ ପେଶା ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଭାବି ପ୍ରଶିକ୍ଷଣ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲି । ଏବେ ବାର୍ଷିକ ୫ରୁ ୬ଲକ୍ଷ ଟଙ୍କା ରୋଜଗାର । ଏହି କୋଳି ବଜାରରେ ବେଶ ଚାହିଦା ଥିବାରୁ ଭଲ ଲାଭ ମଧ୍ୟ ହେଉଛି ।"