ଢେଙ୍କାନାଳ: ପରଜଙ୍ଗ ତହସିଲଦାରଙ୍କୁ ମୋରମ ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଏପରିକି ଜେସିବି ଚଢାଇ ଜୀବନରୁ ମାରିଦେବାକୁ କରିଛନ୍ତି ଉଦ୍ୟମ । ହେଲେ ଅଳ୍ପକେ ବର୍ତ୍ତି ଯାଇ ନିଜର ପ୍ରାଣ ବଞ୍ଚାଇ ଖସି ଆସିଥିଲେ ତହସିଲଦାର । ତେବେ ଆକ୍ରମଣରେ ଗୁରୁତର ହୋଇଛନ୍ତି ଏହି ଓଡିଶା ପ୍ରସାଶନିକ ସେବା ଅଧିକାରୀ ତଥା ପରଜଙ୍ଗ ତହସିଲର ସିରିୟଲ ଶୁଭ୍ର ପଟେଲ । ଫଳରେ ତାଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସହ ଯାଇଥିବା ଜଣେ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ମଧ୍ୟ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମୋରମ ଖୋଳାଯାଇ ଚାଲାଣ କରାଯାଉଥିଲା । ଟ୍ରିପ ଟ୍ରିପ ମୋରମ ଚାଲାଣ କରି ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଥିବାବେଳେ ଏପଟେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିଲେ ସରକାର । ତେବେ ଜେସିବି ମାଧ୍ୟମରେ ବେଆଇନ ଭାବେ ମୋରମ ଖୋଳି ଟ୍ରକ ଓ ଟ୍ରାକ୍ଟର ଯୋଗେ ବୋଝେଇ କରାଯାଉଥିବା ସମୟରେ ଏପରି ବେଆଇନ କାରବାର ସମ୍ପର୍କରେ ଖବର ପାଇ ପରଜଙ୍ଗ ତହସିଲଦାର ସିରିଅୟଲ ଶୁଭ୍ର ପଟେଲ ଗତକାଲି(ଶୁକ୍ରବାର) ଅପରାହ୍ନରେ ଅଚାନକ ଚଢାଉ କରିଥିଲେ । ଏହାକୁ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ମାଫିଆ ମାନେ ତହସିଲଦାରଙ୍କୁ ମାଡ ମାରିବା ସହ ଭୟ ଦେଖାଇ ମୋବାଇଲରୁ ଫଟୋକୁ ଡିଲିଟ କରାଇଥିଲେ । ଫଳରେ ନିଜ କାରକୁ ତହସିଲଦାର ପଳାଇ ଆସି ଖସିଯିବାକୁ ଉଦ୍ୟମ କରିବାବେଳେ ଏକ ଟ୍ରାକ୍ଟର ତାଙ୍କ ଉପରକୁ ଚଢାଇ ତାଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ପ୍ରକାଶ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ତହସିଲଦାର ।