ଢେଙ୍କାନାଳ :ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆଉ ଏହି ସାବିତ୍ରୀ ବ୍ରତରେ ବିଭିନ୍ନ କିସମର ଫଳର ଚାହିଦା ଢେଙ୍କାନାଳରେ ଫଳ ବଜାରକୁ ଚଳଚଞ୍ଚଳ କରିଛି । କିନ୍ତୁ ଗତ ଅଢେଇ ବର୍ଷରେ କୋଭିଡର ପ୍ରଭାବ ଏବେ ମଧ୍ୟ ସାବିତ୍ରୀ ବଜାରରେ ଅନୁଭୂତ ହୋଇଛି । ଯାହାକି ଫଳ ବେପାରୀ ମାନଙ୍କୁ ହତାଶ କରିଛି ।
ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆଉ ହିନ୍ଦୁତ୍ୱ ପରମ୍ପରା ମୁତାବକ ମହିଳା ମାନେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳିବେ । ତେବେ ସାବିତ୍ରୀ ବ୍ରତର ବିଧି ମୁତାବକ ବିଭିନ୍ନ କିସମର ଫଳର ଚାହିଦା ବର୍ଷର ଏହି ସମୟ ଫଳ ଦୋକାନୀଙ୍କର କଚେପୁଅ ବାର । ମାତ୍ର ବିଗତ ବର୍ଷ ମାନଙ୍କର ସେହି ସାବିତ୍ରୀ ବଜାରର ମାହୋଲ ଢେଙ୍କାନାଳରେ ଚଳିତ ବର୍ଷ ଦେଖିବାକୁ ମିଳୁନି । କହିବାକୁ ଗଲେ ବିଗତ କୋଭିଡ କଟକଣାରେ ଦୋହଲି ଯାଇଥିବା ଆର୍ଥିକ ମେରୁଦଣ୍ଡ ସଳଖି ପାରିନାହାନ୍ତି ସତ୍ୟବାନ ।
ଫଳରେ ତାଙ୍କ ସାବିତ୍ରୀମାନେ କେବଳ ବ୍ରତର ବିଧି ପାଳନ ପାଇଁ ବିଭିନ୍ନ ଫଳରୁ ଗୋଟିଏ ଦୁଇଟି କିଣିବାରେ ସୀମିତ ରହୁଥିବା ପ୍ରକାଶ କରିଛନ୍ତି । ବିଶେଷ କରି ସହରର ରଥଗଡା, ବାଜିଚୌକ, ବସଷ୍ଟାଣ୍ଡ ଓ ଜର୍ଜ ସ୍କୁଲ ପାଖ ଫଳ ବଜାରରେ ଫଳ ଗ୍ରାହକଙ୍କ ଭିଡ଼ ସେତେଟା ଦେଖିବାକୁ ମିଳୁନି । ପୂର୍ବ ବର୍ଷର ସାବିତ୍ରୀ ବଜାରକୁ ମନେ ପକାଇଲେ ସତେ ଯେମିତି ଚଳିତ ବର୍ଷ ଏହି ସାବିତ୍ରୀ ବଜାରର ମାହୋଲ ପୁରା ଫିକା ରହିଛି ।