ଓଡିଶା

odisha

ETV Bharat / state

ପକ୍ଷୀ ପ୍ରେମ ଆଗରେ ଚାକିରି ତୁଚ୍ଛ, ନିଶା ସାଜିଛି ପେଶା - birds collection

ବିଟେକ ଇଞ୍ଜିନିୟର ଭାବେ ମୁମ୍ବାଇରେ ଏକ ନାମୀଦାମୀ କମ୍ପାନୀରେ ମୋଟା ଅଙ୍କର ଦରମା ପାଉଥିଲେ ଗିରିଜା । ମାତ୍ର ପକ୍ଷୀଙ୍କ ପ୍ରେମ ତାଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରିଛି । ଅଧିକ ପଢନ୍ତୁ..

ପକ୍ଷୀ ପ୍ରେମ ତୁଚ୍ଛ କରିଦେଲା ଲକ୍ଷାଧିକ ଟଙ୍କାର ଚାକିରୀ
ପକ୍ଷୀ ପ୍ରେମ ତୁଚ୍ଛ କରିଦେଲା ଲକ୍ଷାଧିକ ଟଙ୍କାର ଚାକିରୀ

By

Published : Jun 16, 2020, 8:17 AM IST

ଢେଙ୍କାନାଳ: ପକ୍ଷୀଙ୍କର ଚିକିରି ମିକିର ଶବ୍ଦରେ ମନରେ ସୃଷ୍ଟି କରୁଛି ଶିହରଣ । ରଙ୍ଗ ବେରଙ୍ଗରର ଚଢେଇରେ ଘର ପୁରି ଉଠୁଛି । ବିଭିନ୍ନ କିସମର ମନଲୋଭା ବିଦେଶୀ ପକ୍ଷୀରେ ଭରପୁର ଘରେ କରିଥିବା ଏହି ପକ୍ଷୀ ବିହାର ସତେ ଯେମିତି ନନ୍ଦନ କାନନର ଭ୍ରମ ସୃଷ୍ଟି କରୁଛି । ଆଉ ଏହି ଚଢେଇଙ୍କ ପ୍ରେମ ଓ ଭଲପାଇବା ତାଙ୍କୁ ଚାକିରୀ ଛାଡିବାକୁ ବାଧ୍ୟକରିଛି । ପିଲାଟି ଦିନରୁ ମନରେ ପକ୍ଷୀ ପାଳିବାର ନିଶାକୁ ଏବେ ନିଜ ବେଉସାରେ ପରିଣତ କରିଦେଇଛନ୍ତି ।

ପକ୍ଷୀ ପ୍ରେମ ତୁଚ୍ଛ କରିଦେଲା ଲକ୍ଷାଧିକ ଟଙ୍କାର ଚାକିରୀ

ଢେଙ୍କାନାଳ ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଏହି ଗିରିଜା ପ୍ରସାଦ ମିଶ୍ର । ବିଟେକ ଇଞ୍ଜିନିୟର ଭାବେ ମୁମ୍ବାଇରେ ଏକ ନାମୀଦାମୀ କମ୍ପାନୀରେ ମୋଟା ଅଙ୍କର ଦରମା ପାଉଥିଲେ । ମାତ୍ର ଏହି ପକ୍ଷୀଙ୍କ ପ୍ରେମ ତାଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିଛି । ଗାଁ ଆସି ନିଜ ଘରେ କରିଛନ୍ତି ଏହି ପକ୍ଷୀ ବିହାର । ପିଲାଟି ଦିନରୁ ପକ୍ଷୀମାନଙ୍କ ପ୍ରତି ରହିଥିବା ଭଲପାଇବା ଆଜି ତାଙ୍କୁ ଜଣେ ପକ୍ଷୀ ପ୍ରେମୀର ପରିଚୟ ଦେଇଛି । ପ୍ରଥମେ ତିନି ଜୋଡ ପକ୍ଷୀରୁ ଆଜି ୪୧ ଜୋଡର ପ୍ରାୟ ୨୨ ପ୍ରଜାତୀର ପକ୍ଷୀରେ ପହଞ୍ଚି ପାରିଛି ତାଙ୍କର ଏହି ପକ୍ଷୀ ବିହାର । ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ପର୍ଯ୍ୟନ୍ତ ପକ୍ଷୀମାନଙ୍କର ଦାମ ଥିବାବେଳେ ବର୍ତ୍ତମାନ ଏହି ପକ୍ଷୀ ବିହାରର ଦାମ ହେବ ଅନ୍ୟୁନ ୩୦ ଲକ୍ଷ ଟଙ୍କା । ଏଥିରୁ ସେ ବାର୍ଷିକ ସାତରୁ ୮ ଲକ୍ଷଟଙ୍କାର ବ୍ୟବସାୟ କରୁଥିବା ଜଣାପଡିଛି । ଫଳରେ ପ୍ରଥମେ ଚିନ୍ତାରେ ପଡିଯାଇଥିବା ତାଙ୍କ ପରିବାର ଏବେ କିନ୍ତୁ ବେଶ ଖୁସ । ଏଥିପାଇଁ ତାଙ୍କ ପତ୍ନୀ ମଧ୍ୟ ଗିରିଜାଙ୍କୁ ସହଯୋଗ କରିଥାନ୍ତି ବୋଲି ପ୍ରକାଶ କରନ୍ତି ।

ପକ୍ଷୀ ଛୁଆକୁ ନିଜେ ଖାଇବାକୁ ଦେବା ସହିତ ପକ୍ଷୀମାନଙ୍କ ପାଇଁ ସୂର୍ଯ୍ୟମୂଖୀ, ଚିନା, କୁସୁମି, ଦାନା, ମଞ୍ଜି ସହିତ ପିଜୁଳୀ, ଅମୃତଭଣ୍ଡା, କାକୁଡି ଏବଂ ଏକ ପ୍ରକାରର ପୋକ ଚାଷ କରି ଖାଇବାକୁ ଦିଆଯାଉଛି । ପାଖାପାଖି 22 ପ୍ରଜାତୀର ପକ୍ଷୀମାନଙ୍କ ମଧ୍ୟରୁ ପାଇନେପଲ ଶୁଆ, ୟେଲୋ ସାଇଡେଡ୍ ଶୁଆ, ରେନବୋ ଲୋରି, ବ୍ଲୁ ଗୋଲଡ ମକାଓ, ସୁଗାର ଗ୍ଲିଡର ତଥା ଉଡନ୍ତା ଗୁଣ୍ଡୁଚି ମୂଷା ଏପରି ଦେଶୀ ବିଦେଶୀର ପକ୍ଷୀ ସମାହାର ଗିରିଜାଙ୍କ ଏହି ପକ୍ଷୀ ବିହାର । ଖାଲିଯେ ପକ୍ଷୀ ପାଳିବା ବା ବିକ୍ରି କରିବାରେ ସିମିତ ନାହିଁ ଗରିଜାଙ୍କ ବେଉସା । ଏପରିକି ସେ ବିଭିନ୍ନ ପକ୍ଷୀଙ୍କୁ କ୍ରସ ବ୍ରିଡିଂ କରି ନୂତନ ଢଙ୍ଗ ଓ ରଙ୍ଗର ପକ୍ଷୀ ସୃଷ୍ଟି କରିପାରିବାରେ ମାହିର । ଗ୍ରାମାଞ୍ଚଳରେ ନିଜର ବେଉସା ଭାବେ ଏପରି ଏକ ପକ୍ଷୀବିହାର କରି ବ୍ୟବସାୟରେ ବେଶ ସଫଳତା ପାଇପାରିଥିବାରୁ ପଡୋଶୀଙ୍କଠାରୁ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଉଦାହରଣ ଦିଅନ୍ତି ।

ଖାଲିଯେ ବ୍ୟବସାୟ ତା ନୁହଁ। ପକ୍ଷୀ ଆଉ ମଣିଷ ମଧ୍ୟରେ ରହିଥିବା ଅନାବିଳ ପ୍ରେମକୁ ବାସ୍ତବ ରୂପ ଦେଇଛନ୍ତି ଗିରିଜା । ଲକଡାଉନରେ ତାଙ୍କର ଏହି ପକ୍ଷୀ ବ୍ୟବସାୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲେ ମଧ୍ୟ ପକ୍ଷୀଙ୍କ ପ୍ରତି ଭଲ ପାଇବା ତାଙ୍କୁ ସାମାନ୍ୟ ମଧ୍ୟ ବିଚଳିତ କରିପାରିନି । ଗୋଟିଏ ପଟେ ଦିନକୁ ଦିନ ମାତ୍ରାଧିକ ପ୍ରଦୂଷଣ ଏବଂ ରେଡିଏସନ ପାଇଁ ପକ୍ଷୀଙ୍କର ବଂଶ ଲୋପ ପାଇ ଯାଉଥିବାବେଳେ ବିଦେଶୀ ପକ୍ଷୀଙ୍କର ନିଜ ଘରେ ଏପରି ଏକ ପକ୍ଷୀ ବିହାର କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details