ଢେଙ୍କାନାଳ:ଲକଡାଉନ ଯୋଗୁଁ ସବୁଆଡେ ସ୍ଥିତି ଜଟିଳ ହୋଇପଡିଛି । କାମ ଧନ୍ଦା ଅଭାବରୁ ଲୋକେ ଘରେ ହାତରେ ହାତ ବାନ୍ଧି ବସି ରହିଛନ୍ତି । ଆଉ ଏପରି ଦୁର୍ଦ୍ଦିନରେ ପରିବାର ପାଇଁ ଆର୍ଥିକ ସହାୟତା ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର 12 ଜଣ ମହିଳା ।
ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ମହାପଦା ଗ୍ରାମର ଏହି ୧୨ ଜଣ ମହିଳା ମା ସପ୍ତସତୀ ନାମକ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ଆଉ ଏହି ଗୋଷ୍ଠୀ ମାଧ୍ୟମରେ ଛତୁ ଚାଷ କରି ନିଜ ପରିବାରର ଏପରି ସଂକଟ ସ୍ଥିତିର ବିକଳ୍ପ ପାଲଟିଛନ୍ତି ।
ଏହି ମହିଳାମାନେ ନିଜ ଗାଁ ମହାପଦାରେ ୧୫ଶହ ବେଡ଼ ବିଶିଷ୍ଠ ଏକ ବିରାଟ ଛତୁ ଫାର୍ମ କରିଛନ୍ତି । ଆଉ ଏଥିପାଇଁ ସକାଳୁ ସକାଳୁ ଏହି ଗୋଷ୍ଠୀର ମହିଳାମାନେ ନଡା କାଟିବା ଠାରୁ ଆରମ୍ଭ କରି ପାଣିରେ ଭିଜାଇବା, ଛତୁ ବେଡ଼ ପ୍ରସ୍ତୁତ କରିବା, ମଞ୍ଜି ପକାଇବା ଓ ଛତୁ ତୋଳି ବେପାରୀଙ୍କୁ ବିକ୍ରି କରିବା ଆଦି ସମସ୍ତ କାମ କରିଥାନ୍ତି ।