ଢେଙ୍କାନାଳ: ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଜେଏସ ପରୀକ୍ଷା ଫଳ । ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ପୁଅଙ୍କ ଅପେକ୍ଷା ବେଶ ଆଗରେ ରହି ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି ଝିଅମାନେ । ଓଜେଏସ୍ ପରୀକ୍ଷାରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୯ ଜଣ ଝିଅ ରହିଛନ୍ତି । ଏପରିକି ପ୍ରଥମ ୮ଟି ସ୍ଥାନରେ କେବଳ ଝିଅ ରହିଥିବା ଦେଖିବାକୁ ମିଳିଛି । ସେହିଭଳି ସାରା ଓଡିଶାରେ ଢେଙ୍କାନାଳର ପ୍ରଜ୍ଞା ସୁମନ ମହାପାତ୍ର ସପ୍ତମ ରାଙ୍କରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ଢେଙ୍କାନାଳ ସହରର କାଲଟାକ୍ସ ବାସିନ୍ଦା ଛାୟାକାନ୍ତ ମହାପାତ୍ର ଓ ରଞ୍ଜିତାଙ୍କର ଏକ ମାତ୍ର ଝିଅ ପ୍ରଜ୍ଞା ସୁମନ । ପିଲାଟି ଦିନରୁ ପ୍ରଜ୍ଞାଙ୍କର ନ୍ୟାୟିକ ସେବା ପ୍ରତି ନିଜର ଦୁର୍ବଳତା ରହିଆସିଥିଲା । ଛୋଟ ବେଳୁ ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ନିଜର ନିଷ୍ଠା ଓ ପରିଶ୍ରମ ତାଙ୍କୁ ଆଜି ସଫଳତା ଦେଇପାରିଛି । ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ଵାଦଶ ପାସ ପରେ ୟୁନିଭର୍ସିଟି ଲ' କଲେଜରୁ ଇଣ୍ଟିଗ୍ରେଟେଡ଼ ଲ' ପାଠ୍ୟକ୍ରମ କରିଥିଲେ ପ୍ରଜ୍ଞା । ପରେ ଉତ୍କଳ ୟୁନିଭର୍ସିଟିରେ ଆଇନ ସ୍ନାତକୋତ୍ତର ବିଭାଗରେ ଟପର ଓ ଗୋଲ୍ଡ଼ ମେଡାଲ ହାସଲ କରି ନ୍ୟାୟିକ ସେବା ବିଭାଗ ପାଇଁ ଜଣେ ଯୋଗ୍ୟା ଛାତ୍ରୀ ଭାବେ ନିଜର ଦକ୍ଷତା ହାସଲ କରିସାରିଛନ୍ତି ।