ଢେଙ୍କାନାଳ :ହାତୀମୃତ୍ୟୁ ଘଟଣାରେ ବନବିଭାଗର ଦୃଢ଼ କାର୍ଯ୍ୟାନୁଷ୍ଠାନ । କାମାକ୍ଷାନଗର ମହାବିରୋଡ଼ ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ କରାଯାଇଛି ନିଲମ୍ବିତ । ସୂଚନାନୁସାରେ ଢେଙ୍କାନାଳ ବନଖଣ୍ଡରେ ବିଦ୍ୟୁତ ଫାଶରେ ମରୁଛନ୍ତି ଗୋଟିଏ ପରେ ଗୋଟିଏ ହାତୀ ।
ସ୍ଥାନୀୟ ମହାବିରୋଡ଼ ଓ ହିନ୍ଦୋଳ ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ ଫାଶ ଯୋଗୁଁ ଗଜରାଜଙ୍କ ଜୀବନ ଏବେ ସଙ୍କଟରେ ପଡିଯାଇଛି । ଗତ ଶନିବାର ହିନ୍ଦୋଳ ବନାଞ୍ଚଳରେ ବାରହା ସହ ପୁଣି ଏକ ମାଈ ହାତୀର ଜୀବନ ନେଇଛି ଏହି ବିଦ୍ୟୁତ ଫାଶ । ବନକର୍ମଚାରୀଙ୍କ ଅବହେଳା ଯୋଗୁଁ ଶିକାରୀମାନେ ସକ୍ରିୟ ହୋଇପଡିଛନ୍ତି । ଫଳରେ ଶିକାରୀମାନେ ଜଙ୍ଗଲୀ ଜନ୍ତୁଙ୍କୁ ସହଜରେ ଶିକାର କରିପାରୁଛନ୍ତି ।
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ଜଙ୍ଗଲୀ ଜନ୍ତୁଙ୍କୁ ଶିକାର ପାଇଁ ବିଛାଉଛନ୍ତି ବିଦ୍ୟୁତ ଫାଶ । ଯେଉଁ ଫାଶରେ ପଡ଼ି ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଯାଉଥିବା ଜଣାପଡିଛି । ଯାହାକୁ ନେଇ ଏବେ ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ଗତ ୨୮ ତାରିଖରେ ମହାବିରୋଡ଼ ବନାଞ୍ଚଳର ଦଦରା ଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଇରମୁଣ୍ଡା ଗାଁ ନିକଟସ୍ଥ ଖେସରା ଜଙ୍ଗଲରେ ବିଦ୍ୟୁତ ଫାଶରେ ମରିଥିବା ଏକ ମାଈ ହାତୀର ମାମଲାର ତଦନ୍ତ ରିପୋର୍ଟକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଯୋଗୀନେନୀ ।
ଏହି ହାତୀ ମୃତ୍ୟୁ ଘଟଣା ବିଦ୍ୟୁତ୍ କରେଣ୍ଟ ଜନିତ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଶିକାରୀମାନେ ଏହି ବିଦ୍ୟୁତ ଫାଶ ବସାଇଥିବା ଜଣାପଡ଼ିଛି । ଯାହାଫଳରେ ଏକ ମାଈ ହାତୀ ଏହି ବିଦ୍ୟୁତ ଫାଶରେ ପଡ଼ି ମୃତ୍ୟୁବରଣ କରିଛି । ତେବେ ବନବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।
ଏସମ୍ପର୍କରେ ସ୍ଥାନୀୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଜାଣି ପାରିନଥିବା ବନବିଭାଗ ପକ୍ଷରୁ ଜଣାପଡିଛି । ଫଳରେ ଦଦରା ଘାଟି ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟଗାର୍ଡ ସ୍ଵର୍ଣ୍ଣପ୍ରଭା ସେଠ ଏହି ଦୁଇ ବନକର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ । ନିଲମ୍ବିତ ସ୍ଵର୍ଣ୍ଣପ୍ରଭା ସେଠ ଘଘରା ମୁଣ୍ଡା ଫରେଷ୍ଟ ବିଟ୍ ହାଉସର ଫରେଷ୍ଟ ଗାର୍ଡ ଭାବେ କାମ କରୁଥିଲେ ।
ହାତୀକୁ ବଞ୍ଚାଇବା ଓ ତାଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କୁ ପକ୍ଷରୁ ବନକର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କିଭଳି ହାତୀମାନେ ସୁରକ୍ଷିତ ରହିବେ ସେଥିପାଇଁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ଫରେଷ୍ଟ ବିଟ୍ ହାଉସର ଫରେଷ୍ଟରମାନେ କାର୍ଯ୍ୟରେ ଅବହେଳା କରିବାରୁ ଆଜି ଗୋଟିଏ ପରେ ଗୋଟିଏ ହାତୀ ମରୁଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ଇଟିଭି ଭାରତ, ଢେଙ୍କାନାଳ