ଢେଙ୍କାନାଳ:ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଢେଙ୍କାନାଳସଦର ଥାନା ବୋରାପଦା ଗ୍ରାମ ଏହି ଯୁବକଙ୍କୁ ତିନିଦିନ ପୂର୍ବେ ସଂଘବଦ୍ଧ ଭାବେ ହତ୍ୟା ପରେ ନିଖୋଜ କରିଥିଲେ ମୃତଦେହ । ମୃତକ ପରିବାରଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ଚଳାଇଥିଲା ତଦନ୍ତ। ସେପଟେ ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି ।
ତିନିଦିନ ଧରି ପୋଲିସର ଖୋଜା ଖୋଜି ପରେ ରବିବାର ଏକ ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ପୀତବାସ ଦାସ ବୋଲି ଜଣାପଡିଛି । ବୋରାପଦା ଗ୍ରାମ ନିକଟରେ ଥିବା ଏକ ନିଛାଟିଆ ପରିତ୍ୟକ୍ତ କୂଅରୁ ପିତବାସଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ସଦର ଥାନା ପୋଲିସ । ପୀତବାସ ପୂର୍ବରୁ ଏକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କ ଗ୍ରାମର କିଛି ଯୁବକଙ୍କ ସହ ତାଙ୍କର ତିକ୍ତତା ରହିଥିଲା ।
ଗତ ୩ ତାରିଖ ରାତିରେ ପୂର୍ବ ଶତ୍ରୁତାରୁ ପିତବାସଙ୍କୁ ତାଙ୍କ ଗ୍ରାମର କେତେକ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ପୀତବାସଙ୍କୁ ନିଖୋଜ କରିନେଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରିଥିଲେ । ସେଦିନ ଠାରୁ ପିତବାସ ନିଖୋଜ ଥିଲେ । ତେବେ ଆକ୍ରମଣ କରୁଥିବା ଜାଗାରୁ ପିତବାସର ବାଇକକୁ ମଧ୍ୟ ପୋଲିସ ଉଦ୍ଧାର କରିଥିଲେ । ଏପରିକି ତାଙ୍କ ପରିବାର ପକ୍ଷରୁ ପିତବାସଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ତାଙ୍କୁ ନିଖୋଜ କରିନେଇଥିବା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ମାନଙ୍କ ତୁରନ୍ତ ଗିରଫ ପାଇଁ ଜିଲ୍ଲାପାଳଙ୍କ ଠାରେ ଗୁହାରି କରିଥିଲେ ।