ଢେଙ୍କାନାଳ:ରାଜ୍ୟରେ ସଂକ୍ରମଣ ସଂଖ୍ୟା କମୁଥିବାରୁ କଟକଣା କୋହଳ ହେବାରେ ଲାଗିଛି। ମାତ୍ର ଢେଙ୍କାନାଳରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି । ଫଳରେ ଢେଙ୍କାନାଳବାସୀଙ୍କ ମନରେ କୋଭିଡ଼ ଜନିତ ମୃତ୍ୟୁକୁ ନେଇ ଭୟର ବାତାବରଣ ସୃଷ୍ଟି କରିଛି।
ରାଜ୍ୟରେ କମୁଛି ସଂକ୍ରମଣ, ଢେଙ୍କାନାଳରେ ବଢୁଛି କୋଭିଡ ମୃତ୍ୟୁ ସଂଖ୍ୟା
କୋଭିଡ ଜନିତ ସଂକ୍ରମଣ ସଂଖ୍ୟା କମୁଥିବାରୁ ରାଜ୍ୟବାସୀ ଟିକିଏ ଆଶ୍ୱସ୍ତ ହୋଇଛନ୍ତି । ଏପରିକି ସରକାର କଟକଣାକୁ କୋହଳ କରି ଚାଲିଛନ୍ତି । ମାତ୍ର ଏପଟେ ଢେଙ୍କାନାଳରେ କରାଳ ରୂପ ଧାରଣ କରିଛି କୋରୋନା । ସରକାରୀ ରିପୋର୍ଟ ମୁତାବକ ସଂକ୍ରମଣ ସଂଖ୍ୟା କମୁଛି ସତ । କିନ୍ତୁ ହୁ ହୁ ହୋଇ ବଢି ଚାଲୁଛି କୋଭିଡ ଜନିତ ମୃତ୍ୟୁ ସଂଖ୍ୟା । ଆଉ ଗତ ଚାରି ପାଞ୍ଚ ଦିନର ମୃତ୍ୟୁ ଜନିତ ସରକାରୀ ରିପୋର୍ଟ ମୁତାବକ ଢେଙ୍କାନାଳ କୋରୋନାର ହବ ପାଲଟିଛି କହିଲେ ଭୁଲ ହେବ ନାହିଁ। ଢେଙ୍କାନାଳ କୋଭିଡସ୍ଥିତି ଜଟିଳ ହେଉଥିବାରୁ ଚିନ୍ତାରେ ପଡିଯାଇଛନ୍ତି ବୁଦ୍ଧିଜୀବୀ । ଆଉ ଭୟଭୀତ ହୋଇପଡିଛନ୍ତି ଜନସାଧାରଣ ।
ତେବେ ସରକାରୀ ସୂଚନା ମୁତାବକ କୋରୋନାର ପ୍ରଥମ ଲହରରେ ଢେଙ୍କାନଲ ଜିଲ୍ଲାରେ ମୋଟ ୨ ଲକ୍ଷ ୧୫ ହଜାର ୫୮୬ ଜଣଙ୍କର ଟେଷ୍ଟରୁ ୫ ହଜାର ୭୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୯ ଜଣଙ୍କର କୋଭିଡ ଜନିତ ମୃତ୍ୟୁ ଘଟିଥିଲା । ମାତ୍ର ଚଳିତ ବର୍ଷ ଅର୍ଥାତ କୋଭିଡ ଦ୍ୱିତୀୟ ଲହରରେ ମୋଟ ୪ ଲକ୍ଷ ୨୦ ହଜାର ୮୮୯ ଜଣଙ୍କର ଟେଷ୍ଟ ମଧ୍ୟରୁ ୧୯ ହଜାର ୪୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୪୭ ଜଣ ଚିକିତ୍ସିତ ହେଉଥିବା ବେଳେ କେବଳ ଏହି ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ୨୨୫ ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଗତ ଗର୍ଷ ପ୍ରଥମ ଲହରରେ ବର୍ଷ ତମାମ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚଳିତ ବର୍ଷ କେବଳ ଦ୍ୱିତୀୟ ଲହରରରେ ୧୯୬ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଏପରିକି ଗତ ଚାରି ପଞ୍ଚଦିନରେ ମୃତ୍ୟୁ ସଂଖ୍ୟା ୪୦ରୁ ଉର୍ଧ୍ବ ବୋଲି ସରକାରୀ ସୂଚନାରୁ ଜଣାପଡିଛି । ଗୋଟିଏ ପଟେ ସଂକ୍ରମଣ କମୁଥିବାବେଳେ ଢେଙ୍କାନଲ ଜିଲ୍ଲାରେ ଏପରି ମୃତ୍ୟୁ ଜନିତ ସଂଖ୍ୟା ହୁହୁ ହୋଇ ବଢୁଥିବାର କାରଣକୁ ନେଇ ସମସ୍ତେ ସନ୍ଦୀହିନ । ତେବେ ସଠିକ ଭବେ ଟେଷ୍ଟ କରାଯାଉନଥିବା ଓ ସଚେତନତା ଅଭାବ ଏକ କାରଣ ବୋଲି ମତଦେଇଛନ୍ତି ବୁଦ୍ଧିଜୀବୀ ।
ଏଭଳିସ୍ଥିତିରେ ଢେଙ୍କାନାଳ ବାସୀ ଜୀବନ ସୁରକ୍ଷା ନେଇ ଆଶଙ୍କାରେ ପଡିଯାଇଛନ୍ତି । ମାତ୍ର ରାଜ୍ୟରେ ଅନ୍ୟଜିଲ୍ଲା ଅପେକ୍ଷା ଢେଙ୍କାନାଳର ସ୍ଥିତି ବେଶ ଭଲ ଅଛି ଓ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିଛନ୍ତି ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ । ଦ୍ୱିତୀୟ ଲହରରେ କୋଭିଡ ଜନିତ ସ୍ଥିତି ସୁଧୁରିବା ବଦଳରେ ଜଟିଳ ହେବାରେ ଲାଗିଛି ପରିସ୍ଥିତି । ଏପରିସ୍ଥଳେ ତୃତୀୟ ଲହରର ସମୟ ଆସନ୍ନ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଦେଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ