ଢେଙ୍କାନାଳ: କୋଭିଡ ସଂକ୍ରମଣ ଆଶଙ୍କାରେ ପାଖକୁ ଗଲେନି ପରିବାର ଲୋକେ । ମହାମାରୀ କୋରୋନାର ସଂକ୍ରମଣ ଭୟ ହଜାଇ ଦେଉଛି ମାନବିକତା । ଏପରିକି ଘରେ ପଡିରହିଥିଲା ମୃତଦେହ । ମାତ୍ର ସଂକ୍ରମଣ ଆଶଙ୍କାରେ କାନ୍ଧ ଦେଲେ ନାହିଁ ପରିବାର ଲୋକେ । ଆଉ ଦୀର୍ଘ ୭ ଘଣ୍ଟା ପଡିରହିବାପରେ ସ୍ଥାନୀୟ ଭୁବନ ତହସିଲଦାର ପ୍ରଭାସ ବେଉରା ନିଜେ ଆସି ଅନ୍ୟମାନଙ୍କ ସହାୟତାରେ କଲେ ମୃତଦେହ ସତ୍କାର । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ରେଣଦାପାଟଣା ଗ୍ରାମରେ ।
କୋଭିଡ ସଂକ୍ରମଣ ଆଶଙ୍କାରେ ହୋମ କ୍ଵରେଣ୍ଟାଇନରେ ଥିବା ଗ୍ରାମର ନିରଞ୍ଜନ ବେହେରା ନାମକ ଜଣେ ୪୫ ବର୍ଷର ବ୍ୟକ୍ତିଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି । ସେ ଗ୍ରୁପ ଫୋର ସିକ୍ବିୁରିଟି ସଂସ୍ଥା ଅଧୀନରେ ଭୁବନେଶ୍ବରର ଏକ ଘରୋଇ କେବୁଲ ସଂସ୍ଥାରେ କାର୍ଯ୍ୟରତ ଥିଲେ । ଆଠ ଦିନ ପୂର୍ବେ କୋରୋନା ପଜିଟିଭ ଆଶଙ୍କାରେ ନିଜ ଘରକୁ ପଳେଇ ଆସିଥିଲେ । ନିଜ ଗାଁକୁ ଆସି ହୋମକ୍ବାରେଣ୍ଟାଇନରେ ରହିଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ।