ଢେଙ୍କାନାଳ:ବଦଳିଛି ସମୟ ହେଲେ ବଦଳୁନି ଚିନ୍ତାଧାରା । ସ୍ବାଧୀନତାକୁ ପୁରିଛି 76 ବର୍ଷ । ହେଲେ ଏବେବି ଦୂର ହୋଇପାରିନି ଛୁଆଁ ଅଛୁଆଁ ଭେଦଭାବ । ସମାଜର ତଳ ବର୍ଗରେ ବସବାସ କରୁଥିବା ଲୋକଙ୍କୁ ସରକାରୀ ତଥା ସର୍ବ ସାଧାରଣ ସ୍ଥାନରେ ବାରଣ କିମ୍ବା ଘୃଣା କରିବା ଉପରେ କଡାକଡି ଆଇନ ରହିଛି । ହେଲେ ଅଛୁଆଁ ଜାତି ବୋଲି ମିଳୁନି ପାନୀୟ ଜଳ । ପାଣି ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା । ତେବେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମ ହରିଜନ ସାହି ବାସିନ୍ଦା ।
ଘରେ ଘରେ ଦେଖିବାକୁ ମିଳିବନି ପାନୀୟଜଳ ସମସ୍ୟା । ସେଥିପାଇଁ ରାଜ୍ୟ ସରକାର ବସୁଧା ଯୋଜନା ଓ ବୋରଓ୍ବେଲ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ପ୍ରତ୍ୟେକ ଗ୍ରାମରେ ତିରିଶ ହଜାରରୁ ଷାଠିଏ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ କରି ଘର ଘରକୁ ପାଇପ ଖଞ୍ଜାଯାଇଛି । ଲୋକମାନେ ପାନୀୟଜଳ ପାଇପାରୁଛନ୍ତି । କିନ୍ତୁ ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମ ହରିଜନ ସାହିରୁ ଆସିଛି ସଙ୍ଗିନ ଅଭିଯୋଗ । ଏକତାଳୀ ଗ୍ରାମର ନାଉରୀ ସାହି ଓ ହରିଜନ ସାହି ବାସିନ୍ଦାଙ୍କୁ ମିଳିଛି ଗୋଟିଏ ବୋରଓ୍ବେଲ । ଯେହେତୁ ହରିଜନ ସାହିରେ ଏକ ସୋଲାର ଜଳ ପ୍ରକଳ୍ପ ଥିଲା ସେମାନଙ୍କୁ ପାଣି ସମସ୍ୟା ନଥିଲା । କିନ୍ତୁ ଆଜକୁ ସାତ ମାସ ହେଲା ସୋଲିରଟି ଖରାପ ହୋଇପଡିଛି । ଯେତେ ଅଭିଯୋଗ ପରେ ମଧ୍ୟ ଫଳ ଘର ଶୂନ । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଗ୍ରାମର ମହିଳାମାନେ ଏନେଇ ଅଭିଯୋଗ କରିଥିଲେ । ଦୁଇ ଦିନ ମଧ୍ୟରେ ସେମାନଙ୍କର ସୋଲାର ଠିକ କରିଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜକୁ ପନ୍ଦର କୋଡିଏ ଦିନ ବିତି ସାରିଥିଲେ ମଧ୍ୟ ପ୍ରତିଶୃତିର କୌଣସି ସୁଫଳ ମିଳିନାହିଁ ।