ଅନୁଗୋଳ: ସହରର ସୁଶୀଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନାଁରେ ଆସିଥିବା ସୁଧ କାରବାର ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି । ପୋଲିସ ସୁଶୀଲଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା କରିଥିବାରୁ ସେ ପୋଲିସ ବିରୁଦ୍ଧରେ କୋର୍ଟରେ ମାନହାନି କେସ କରିବାକୁ ଚାହୁଁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସୂଚନା ଅନୁଯାୟୀ ଛେଣ୍ଡିପଦା ଥାନା କମ୍ପସଲା ହାଇସ୍କୁଲର ଶିକ୍ଷକ ବଂଶୀଧର ଦେହୁରୀ ସୁଶୀଲଙ୍କ ବିରୁଦ୍ଧରେ ଗତ ୧୨ ତାରିଖରେ ସୁଧ କାରବାରରେ ହେରଫେର୍ କରିଥିବା ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଥିଲେ । ବଂଶୀଧର ଦେହୁରୀ ଅଭିଯୋଗ କରିଥିଲେ ଯେ, ସେ ସୁଶୀଲଙ୍କ ଠାରୁ ୫ ଲକ୍ଷ କରଜ କରିଥିଲେ । ମାତ୍ର ସୁଧ ବାବଦକୁ ସୁଶୀଲ 25 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏନେଇ ପୋଲିସ ଏକ ମକଦ୍ଦମା ରୁଜୁ କରି ସୁଶୀଲଙ୍କୁ ଗିରଫ କରିଥିଲେ । ଅବଶ୍ୟ ସୁଶୀଲଙ୍କୁ ତୁରନ୍ତ ଜାମିନ ମିଳିଯାଇଥିଲା ।