ଢେଙ୍କାନାଳ: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଭାଇ ସାଜିଲା ଭଗାରୀ । ଜମି ବିବାଦରୁ ଘଟିଲା ବର୍ବରକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କରିଛି ଭାଇ । ନିଜ ଭାଇକୁ ଘରେ ବାନ୍ଧି ଅନ୍ୟ ଭାଇମାନେ ମିଶି ଏସିଡ୍ ଢାଳି ଦେଇଛନ୍ତି । ଜମି ବାଡିକୁ ନେଇ ଭାଇ ଭାଇ ମଧ୍ୟରେ ପାରିବାରିକ କଳହରୁ ଏଭଳି କରୁଣ ପରିଣତି ଘଟିଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଭାଇମାନେ ନିଜର ଅନ୍ୟ ଜଣେ ଭାଇ ପ୍ରତି ଘଟାଇ ଥିବା ଏପରି ବର୍ବରକାଣ୍ଡ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଲିବୋ ଗ୍ରାମ ପଞ୍ଚାୟତର ଲତାବିଲ ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିରଥୀ ନାୟକଙ୍କୁ (୪୦) ଶନିବାର ରାତି ପ୍ରାୟ ୧୦ଟା ବେଳେ ଏସିଡି ମାଡ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଏସିଡ୍ର ରସାୟନିକ ପ୍ରତିକ୍ରିୟାରେ ତାଙ୍କ ଶରୀରର ଶତକଡା ୬୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।