ଢେଙ୍କାନାଳ:ବିଜେଡି ନେତାଙ୍କ ଗାଡି ଉପରକୁ ବୋମା ମାଡ । ଢେଙ୍କାନାଳ ଜିଲ୍ଲା ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ ଗାଡି ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଥିବା ସୂଚନା । ଏକ ବାଇକରେ ଆସି କାମାକ୍ଷାନଗର ୨ ନଂ ଓ୍ବାର୍ଡ ମଢ଼ିସାହିରେ ଥିବା ବାସଭବନ ଠାରେ ଦୁର୍ବୃତ୍ତ ମାନେ ବୋମା ମାଡ କରିଥିବା ସୂଚନା । ସିସିଟିଭିରେ କଏଦ ହେଲା ବୋମା ମାଡ ସମୟର ଭିଡିଓ ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ୪ମିନିଟ ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କାମାକ୍ଷାନଗର ମଢ଼ିସାହିରେ କାହ୍ନୁ ସାହୁଙ୍କ ବାସଭବନରେ ତାଙ୍କ କାର ଉପରକୁ ତିନିଟି ବୋମା ଫିଙ୍ଗିଥିଲେ । ଫଳରେ ଗାଡିର ପଛ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଥିବା ବେଳେ, ଘଟଣା ସ୍ଥଳରେ ଏବେବି ଦୁଇଟି ଅଫୁଟା ବୋମା ପଡ଼ିରହିଛି । ଏ ନେଇ ଖବର ପାଇ କାମାକ୍ଷାନାଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଦୁର୍ବୃତ୍ତ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଧରିବାରେ ସଫଳ ହୋଇନଥିବା ବେଳେ ସିସିଟିଭିରେ କଏଦ ହୋଇଛି ବୋମା ମାଡ ସମୟର ଭିଡିଓ । କାହ୍ନୁ ସାହୁ ବିଜୁ ଜନତା ଦଳରେ ଜଣେ ଆଗଧାଡିର ସଦସ୍ୟ ଅଛନ୍ତି। ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଲା ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଏହି ଘଟଣାକୁ ନେଇ କାହା ଉପରରେ ସନ୍ଦେହ ନଥିବା ମଧ୍ୟ କହିଛନ୍ତି କାହ୍ନୁ ।