ଢେଙ୍କାନାଳ: ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ମାନସିକ ଭାରସାମ୍ୟ ହରାଇ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଘଟଣା ଅନୁଯାୟୀ, 2019 ମସିହାଠାରୁ ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ସୁଲତାନ ବେଗମଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହେଉଛି। ସମସ୍ତଙ୍କ ନିକଟରେ ସେ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣିନଥିବା କୁହାଯାଉଛି । ଏପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଅନେକ ସମୟରେ ମାନସିକ ନିର୍ଯାତନା ଦେଉଥିବାରୁ ଅଭିଯୋଗ ହେଉଛି।
ଫଳରେ ଏସବୁ ସହି ନପାରି ବିଦ୍ୟାଳୟରେ ବେକରେ ନିଜର ଓନି ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏହି ହିନ୍ଦୀ ଶିକ୍ଷୟିତ୍ରୀ। ଘଟଣାକୁ ଚପାଇବାପାଇଁ ସ୍କୁଲ ପକ୍ଷରୁ ଉଦ୍ୟମ କରାଯାଇଥିବା ଦେଖାଦେଇଛି। ଏପଟେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
2019 ମସିହାରୁ ତାଙ୍କର କିଛି କାଗଜପତ୍ର ଅପଡେଟକୁ ନେଇ ସବୁଠି ସେ ଅଭିଯୋଗ କରିଥିଲେ । କିନ୍ତୁ ସବୁଠି ତାଙ୍କୁ ମାନସିକ ନିର୍ଯାତନା ମିଳିଥିବା କୁହାଯାଉଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ରଣା ମଧ୍ୟ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଉଛି। ତେବେ ଶେଷରେ ନିର୍ଯାତନା ସହି ନପାରି ମଙ୍ଗଳବାର ନିଜର ହୃଦୟ ବିଦାରକ ଯନ୍ତ୍ରଣାକୁ ରେକର୍ଡ କରି ଶିକ୍ଷା ସମ୍ପାଦକଙ୍କ ନିକଟକୁ ହ୍ବାଟସଆପରେ ପଠାଇ ବିଦ୍ୟାଳୟରେ ନିଜ ଓନି ସାହାଯ୍ୟରେ ଝୁଲି ପଡିଥିଲେ ହିନ୍ଦୀ ଶିକ୍ଷୟିତ୍ରୀ ସୁଲତାନ ବେଗମ ।