ଢେଙ୍କାନାଳ:ଚାଷୀଙ୍କ ସୁବିଧା ପାଇଁ ସରକାର ବୀମା ଟଙ୍କାର ଯୋଜନା କରିଛନ୍ତି । ହେଲେ ବୀମା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ନ ଯାଇ ସରାକାରୀ ବାବୁଙ୍କ ପକେଟକୁ ଯାଉଛି । ଫସଲ ବୀମା କରିଥିଲେ ଚାଷୀ । ହେଲେ ବୀମା ଟଙ୍କାର ଉପକୃତ ହୋଇପାରିଲେନି ଚାଷୀ । ଚାଷୀଙ୍କ ଖାତାକୁ ଟଙ୍କା ଆସିବା ବାଟରେ ହଡପ କରିନେଲେ ସମବାୟ ସମିତି କର୍ମଚାରୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ରଂଜାଗୋଳ ସେବା ସମବାୟ ସମିତିରେ । ଏନେଇ ଚାଷୀ ମାନେ ପ୍ରତିବାଦ କରିବା ସହିତ ସମବାୟ ସମିତି ଘେରାଉ କରିଛନ୍ତି ।
କମ ବର୍ଷା ଯୋଗୁଁ ଉଜୁଡିଗଲା ଚାଷୀ ମାନଙ୍କ ଶହ ଶହ ଏକର ଧାନ ଫସଲ । ଏହି ମରୁଡ଼ିରେ କୃଷି ବୀମା ବାବଦକୁ ଚାଷୀ ମାନଙ୍କୁ ପ୍ରଦାନ ପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା । ମାତ୍ର ତାହା ଚାଷୀଙ୍କୁ ମିଳିଲାନି । ବାଟରେ ହଡପ କରିନେଲେ ସମବାୟ ସମିତି କର୍ମଚାରୀ । ଏପରି ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ରଂଜାଗୋଳ ସେବା ସମବାୟ ସମିତିରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଏହି ସମବାୟ ସମିତି ଅଧୀନରେ ଥିବା ରଂଜାଗୋଳ, ଅସରଡ଼ା, କୁକୁଟା ଓ ଠୋକର ପଞ୍ଚାୟତର ଚାଷୀମାନେ ପ୍ରତିବାଦ କରିଛନ୍ତି ।
ସ୍ଥାନୀୟ କୁକୁଟା ଛକରୁ ଶତାଧିକ ଚାଷୀ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ରଂଜାଗୋଳ ସେବା ସନବାୟ ସମିତି କାର୍ଯ୍ୟାଳୟକୁ ଘେରିଛନ୍ତି । ଚାଷୀଙ୍କ ଅଭିଯୋଗ ମୁତାବକ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ବର୍ଷାର ପରିମାଣ କମ ହୋଇଥିବାରୁ ଏହି ପଞ୍ଚାୟତର ଚାଷୀ ମାନଙ୍କୁ ମରୁଡି ବୀମା ଟଙ୍କା ସରକାରଙ୍କ ପକ୍ଷରୁ ରଂଜାଗୋଳ ସେବା ସମବାୟ ସମିତି ପ୍ରଦାନ କରିବା କଥା । ମାତ୍ର ୧୨ଜଣ ଚାଷୀ ଏହି ବୀମା ଅର୍ଥ ପାଇଥିବାବେଳେ ଅନ୍ୟ ଚାଷୀମାନେ ବିମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ବୀମା ଟଙ୍କାକୁ ସମବାୟ ସମିତି କର୍ମଚାରୀ ହଡପ କରିଦେଇଥିବା ଅଭିଯୋଗ ଆଣିଛନ୍ତି ଶହ ଶହ ଚାଷୀ । ସେମାନେ ବୀମା ଟଙ୍କା ପାଇବାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ।