ଢେଙ୍କାନାଳ: କାମାକ୍ଷାନଗରରେ ଗତ 16 ତାରିଖ ରାତିରେ ଘଟିଥିବା ସିରିଜ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣା ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଗୁଳିକାଣ୍ଡ ଘଟଣାରେ ତୋଫାନ ପାତ୍ର ନାମକ ଜଣେ ଦଳିତ ଯୁବକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ଭୀମ ଆର୍ମି ପକ୍ଷରୁ କାମାକ୍ଷାନଗର ଥାନା ଘେରାଉ କରାଯାଇଛି ।
ଏହି ଗୁଳିକାଣ୍ଡ ଓ ସିରିଜ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ 21 ଜଣଙ୍କ ମଧ୍ୟରୁ ମାତ୍ର 8 ଜଣ ଗିରଫ ହୋଇଥିବା ଜଣାପଡିଛି । ଇତି ମଧ୍ୟରେ 9 ଦିନ ବିତିଯାଇଥିଲେ ମଧ୍ୟ ଅନ୍ୟ 13 ଜଣ ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଗିରଫ କରିନାହିଁ ସେନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ରାଜ୍ୟ ଭୀମ ଆର୍ମିର ନେତୃତ୍ବରେ କାମାକ୍ଷାନଗର ଥାନା ଘେରାଉ କରି ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଅଡି ବସିଥିଲେ ଶତାଧିକ ଲୋକ ।
ଅଭିଯୁକ୍ତ ମାନେ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ ଧରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଥାଉ କି, ଗତ 16 ତାରିଖ ରାତିରେ କାମାକ୍ଷାନଗର ସହରର ଗୋଡିସାହି ଓ କଲୋନୀ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଏଥିରେ ସିରିଜ ବୋମାମାଡ଼ ସହ ଗୁଳିକାଣ୍ଡ ହୋଇଥିଲା । ଗୁଳିକାଣ୍ଡରେ କଲୋନି ସାହିର 3 ଜଣ ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିଲେ। ତେବେ ତୋଫାନ ପାତ୍ରଙ୍କ 17 ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।