ଢେଙ୍କାନାଳ: କଳାରେ ପୁରୁନି କଳାକାରର ପେଟ । ଫଳରେ ଦିନେ ମଞ୍ଚରେ ନିଜ କଣ୍ଠର ଯାଦୁ ବିଞ୍ଚୁଥିବା କଳାକାର ଆଜି ଉପାୟଶୂନ୍ୟ ହୋଇ ପାଲଟିଛି ମନ୍ଦିରର ଝାଡୁଦାର । ଏ ହେଉଛନ୍ତି ଯାତ୍ରା ଜଗତର ବେଶ ଜଣାଶୁଣା ପ୍ରଚ୍ଛଦପଟ୍ଟ ଗାୟକ ଅଭୟ ଓରଫ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ କାବେରା ଗାଁର ଅଦ୍ବୈତ ନାୟକ । ଦିନ ଥିଲା ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଯାତ୍ରା ଜଗତରେ ଥିଲା ତାଙ୍କର ବେଶ ନାମ । ହେଲେ ଏହି ଖ୍ୟାତି ଆଉ କଣ୍ଠର ଯାଦୁ ପେଟ ପାଟଣା ପାଇଁ ବେଶୀ ଦିନ ସହାୟକ ହୋଇପାରି ନଥିଲା । ଶେଷରେ ପେଟ ଚାଖଣ୍ଡକ ପାଇଁ ଯାତ୍ରା ଦୁନିଆକୁ ବାଏ ବାଏ କହି ଏବେ ବିକଳ୍ପ ଭାବେ କପିଳାସର ଝାଡୁଦାର ପାଲଟିଛନ୍ତି ଅଭୟ । ହେଲେ କୋରୋନା କଟକଣା ପାଇଁ ଗତ 7 ମାସ ହେଲା ରୋଜଗାରରେ ପଡିଛି ତାଲା ।
ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖୁଥିବା ଅଭୟଙ୍କର ଆର୍ଥିକ ଅଭାବ ଯୋଗୁଁ ମାତ୍ର 10ମ ଶ୍ରେଣୀ ପରେ ପଢାରେ ଲାଗିଥିଲା ଲଗାମ । କିନ୍ତୁ ନିଜ କଣ୍ଠର ଯାଦୁକୁ ନେଇ ସେ ଗାଁରେ ବୁଲି ବୁଲି ବିଭିନ୍ନ ପୂଜା ପାର୍ବଣରେ ଗୀତ ଗାଇ ପାଲଟିଥିଲେ ପ୍ରତିଟି ଉତ୍ସବର ପ୍ରାଣ । ଏମିତିରେ ତାଙ୍କ ଅନ୍ତର୍ନିହିତ କଳାକୁ ଠାବ କରିଥିଲା ରାଢଙ୍ଗ ଅପେରା ଦଳ । ଆଉ ଦଳର ନିମନ୍ତ୍ରଣରେ ଅପେରା ଓ ଯାତ୍ରାରେ ଗୀତ ଗାଇବା ଆରମ୍ଭ କରି ସେ ଅଦ୍ବୈତରୁ ପାଲଟିଗଲେ ଅଭୟ । ସେ କେବଳ ଯେ ଗୀତ ଗାଆନ୍ତି ତାହା ନୁହେଁ, ଗିଟାର ଓ ଭାଓଲିନ ବଜାଇବାରେ ମଧ୍ୟ ସେ ସିଦ୍ଧହସ୍ତ ।