ଢେଙ୍କାନାଳ:ଢେଙ୍କାନାଳ ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଷ୍ଟେସନ ପ୍ଲାଟଫର୍ମରେ ଜଣେ ଯୁବତୀ ଘଟାଇଛନ୍ତି ଉନ୍ମତ୍ତ କାଣ୍ଡ । ଯୁବତୀ ଜଣକ ନିଜର ହାତକୁ ଏକ କାଚରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତେବେ ଷ୍ଟେସନ ଜିଆରପି ପୋଲିସ ତାଙ୍କୁ ଉଦ୍ଧାର କରିଛି । ସେ ହାତ କାଟିବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଗୁରୁତର ହୋଇଥିଲେ । ଏହାଦେଖି ଜିଆରପି ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।
ଗୁରୁତର ଯୁବତୀ ଜଣଙ୍କ କୋଲକତା ଅଞ୍ଚଳର ସମୀରା ଖାତୁନ ବୋଲି ଜଣାପଡିଛି । ତେବେ ତାଙ୍କୁ ଗତ ଦୁଇ ତିନି ଦିନ ଧରି ଷ୍ଟେସନରେ ଦେଖିବାକୁ ମିଳିଥିଲା ବୋଲି ସୂଚନା ଦେଇଛି ଜିଆରପି ପୋଲିସ । ତେବେ କାହିଁକି ସେ ତାଙ୍କର ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଜଣାପଡିନାହିଁ । ଏ ସମ୍ପର୍କରେ ଯୁବତୀ ଜଣଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ କିଛି ଦିନ ତଳେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଦେଖିବାକୁ ମିଳିଥିଲା । କୋଠାରେ ଚଢି ଜଣେ ମାନସିକ ବିକୃତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକ ଜଣକ ବ୍ଲେଡରେ ନିଜ ବେକ କାଟିଥିଲେ । ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମ ଗୃହ ଉପରେ ଚଢ଼ି ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟର କସରତ ପରେ ଅଗ୍ନିଶମ ବାହିନୀ, ମେଡିକାଲ କର୍ମଚାରୀ ଓ ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ କାବୁ କରିଥିଲା ।
ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଜଣେ ମାନସିକ ବିକୃତ ଯୁବକ ମେଡିକାଲର ଗେଷ୍ଟ ହାଉସ ଉପରେ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସୂଚନା ପାଇଥିଲେ । ସୂଚନା ପାଇବା ମାତ୍ରେ ସେମାନେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ମେଡିକାଲରେ ପହଞ୍ଚିଥିଲେ । ଦୀର୍ଘ ସମୟର କସରତ ପରେ ଯୁବକ ଜଣଙ୍କୁ ଗେଷ୍ଟହାଉସ ଉପରୁ ତଳକୁ ଆଣିବାରେ ସଫଳ ହୋଇଥିଲେ । ଯୁବକ ଜଣକ ବ୍ଲେଡରେ ନିଜ ବେକ କାଟିଦେଇ ଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା । ତେବେ ଯୁବକଙ୍କ ନାମ ଶ୍ୟାମ ହରିଜନ ବୋଲି ସୂଚନା ମିଳିଥିଲା ।
ଇଟିଭି ଭାରତ, ଢେଙ୍କାନାଳ