ଢେଙ୍କାନାଳ:ପୋଲିସ କଲୋନୀରୁ ଗୃହରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ତେବେ ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ସହରର ପୋଲିସ କଲୋନୀରେ । ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ଜଣେ ମହିଳା ଗୃହରକ୍ଷୀଙ୍କ ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ଗୃହରକ୍ଷୀଙ୍କ ମୃତଦେହକୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ ଗୃହରକ୍ଷୀ ଜଣଙ୍କ ସୁନିତା ନାୟକ ବୋଲି ଜଣାପଡିଛି ।
ସୁନିତାଙ୍କ ଘର ସଦର ଥାନା ବିଦାବନ୍ଧ ଗ୍ରାମରେ ହୋଇଥିବା ନେଇ ସୂଚନା ରହିଛି । ସୁନିତା ଓ ତାଙ୍କ ସ୍ୱାମୀ ଉଭୟ ଢେଙ୍କାନାଳ ଗୃହରକ୍ଷୀ ବାହିନୀରେ ଗୃହରକ୍ଷୀ ଭାବେ କାମ କରନ୍ତି । ସୁନିତା ପରିବାର ସହ ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ରହୁଥିଲେ । ସୁନିତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି ।
ତେବେ ଗତ ରାତିରେ ସୁନିତା ଓ ତାଙ୍କ ସ୍ୱାମୀ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଆଜି ସକାଳେ ଖବର ପାଇ ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତ୍ୟୁର ସଠିକ କାରଣ କଣ ଜଣା ପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।