ଦ୍ୱିତୀୟ ଦିନରେ ଢେଙ୍କାନାଳରେ 5T ସଚିବ ଢେଙ୍କାନାଳ: 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳ ଗସ୍ତର ଆଜି ଦ୍ୱିତୀୟ ଦିନ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ସଦର ବ୍ଲକ, କାମାକ୍ଷାନଗର, ପରଜଙ୍ଗ ଓ ହିନ୍ଦୋଳ ଆଦି ୪ଟି ବ୍ଲକକୁ ଗସ୍ତ କଲେ 5ଟି ସଚିବ । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ, ପରଜଙ୍ଗ ଷ୍ଟାଡିୟମ ଓ ହିନ୍ଦୋଳ ବ୍ଲକର ଖଜୁରିଆକଟା ଠାରେ ଜନସଧାରଣଙ୍କୁ ସାଧାରଣ ସଭା ମାଧ୍ୟମରେ ଅଭିଯୋଗ ଶୁଣିବା ସହ ଆଲୋଚନା କରିଥିଲେ ।
ପ୍ରଥମେ ସକାଳ ୭ଟାରେ ଢେଙ୍କାନାଳର ଆରାଧ୍ୟ ସହର ସ୍ଥିତ ପ୍ରଭୁ ବଳରାମ ଜୀଉଙ୍କ ଦର୍ଶନ କରିଥିଲେ । ଏହାସହ ମନ୍ଦିର ଉନ୍ନୟନ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ପରେ ଜାଉଁଳି ପୋଖରୀ ମଠ ଆଦି ପରିଦର୍ଶନ କରିଛନ୍ତି । ପରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଯାଇ ବିଭିନ୍ନ ଖେଳାଳି ଓ କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ କୁନିକୁନି ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି 5t ସଚିବ । ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଇ ବୁଲି ଦେଖିବା ସହ ରୋଗୀମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଭିକେ ପାଣ୍ଡିଆନ ।
ଅଧିକ ପଢନ୍ତୁ: ଦୁଇଦିନିଆ ଢେଙ୍କାନାଳ ଗସ୍ତରେ 5T ସଚିବ; ଉଦ୍ବୋଧନ ଦେଲେ, ଲୋକଙ୍କ ସମସ୍ୟା ଶୁଣିଲେ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମିଲେଟ କାଫେକୁ ଯାଇ ମିଶନ ଶକ୍ତିର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ପରେ ସପ୍ତଶଯ୍ୟା ଦେଇ ବରୁଣି ସ୍ଥିତ କ୍ରାପ୍ଟ ଭିଲେଜ ବା କଳାକୃତି ଗ୍ରାମ ପରିଦର୍ଶନ କରିଛନ୍ତି । 5ଟି ରୂପାନ୍ତରିତ ସପ୍ତଶଯ୍ୟା ହାଇସ୍କୁଲ୍କୁ ପରିଦର୍ଶନରେ ଯାଇଥିଲେ ସଚିବ । ସ୍କୁଲରେ ସ୍ମାର୍ଟ କ୍ଲାସକୁ ଯାଇ ଛାତ୍ରଛତ୍ରୀଙ୍କୁ ସ୍ମାର୍ଟ କ୍ଲାସର ଆବଶ୍ୟକତା ଓ କଣ କଣ ସୁବିଧା ପାଉଛନ୍ତି ସେ ସମ୍ପର୍କରେ ସିଧା ସଳଖ କଥା ହୋଇଥିଲେ । ପିଲାମାନଙ୍କୁ ଭଲ ମଣିଷ ହେବ ପାଇଁ ସ୍ୱପ୍ନ ଓ ଲକ୍ଷ୍ୟ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ 5ଟି ସଚିବ । ସ୍କୁଲ ଭଲ ରେଜଲ୍ଟ କରି ରାଜ୍ୟରେ ଆଗରେ ରହିବାକୁ ପ୍ରୟାସ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ।
ପରେ ପରଜଙ୍ଗ କୁଆଁଳୁ ସ୍ଥିତ ବହୁ ପୁରାତନ ଅଷ୍ଟଶମ୍ଭୁ ମନ୍ଦିର ଦର୍ଶନ କରିବା ସହ ଉନ୍ନୟନ ସମ୍ପର୍କରେ ଆଲୋଚନା କରିବେ । ସେଠାରୁ 5t ରୂପାନ୍ତରିତ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଖଜୁରିଆ କଟା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କାରକେଡ ଠାରୁ ଆରମ୍ଭ କରି ସୁରକ୍ଷା ପାଇଁ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଇଟିଭି ଭାରତ, ଢେଙ୍କାନାଳ