ଢେଙ୍କାନାଳ: ଜିଲ୍ଲା କଙ୍କଡ଼ାହାଡ ବ୍ଲକ ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ବ ମୁଖ୍ୟ କେନାଲରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି (50ft breach in ramial canal) । ଯାହାଫଳରେ ଅନେକ ଜମି ଜଳମଗ୍ନ ହୋଇଛି । ତେବେ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟ ଘଳିଆ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଆସି ସାମାନ୍ୟ କିଛି ମାଟି ଦେଇ ଘଳିଆ ବନ୍ଦ କରିଦେଇ କାମ ସାରି ଦେଇଥିଲେ । ଯାହା ଫଳରେ ଆଜି ତାହା ଏକ ବଡ଼ ଘାଇ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ତେବେ ଘାଇ ସୃଷ୍ଟି ହେବାର ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ଉପର ମୁଣ୍ଡରେ ଥିବା ଗେଟକୁ ବନ୍ଦ କରି ଦେଇଛନ୍ତି । ଫଳରେ କେନାଲରେ ପାଣି ନିଷ୍କାସନ ସମ୍ପୂର୍ଣ ବନ୍ଦ ହେବା ସହ ସୃଷ୍ଟି ହୋଇଥିବା ଘାଇ ବନ୍ଧାଇବା ପାଇଁ ବିଭାଗୀୟ ଅଧିକାରୀ ବ୍ୟବସ୍ଥା ଜାରି ରଖିଛନ୍ତି। ସେପଟେ ଧାନ କ୍ଷେତରେ ପାଣି ପଶି ଯିବାରୁ ଚିନ୍ତାରେ ଚାଷୀ । ହାତ ଉଧାରି, ଧାରକରଜ କରି ଚାଷ ପାଇଁ ଆଣିଥିବା ଟଙ୍କାକୁ କିପରି ପରିଶୋଧ କରିବେ ସେନେଇ ହତାଶ ହୋଇପଡିଛି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ସହ କ୍ଷେତରେ ପଶିଥିବା ପାଣିକୁ ନିଷ୍କାସନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ । ସେପଟେ ଖୁବଶୀଘ୍ର ଜଳ ନିଷ୍କାସନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।
ଏହାବି ପଢନ୍ତୁ:ରାଜୁଆ ନଦୀରେ ଘାଇ, ପାଣି ଘେରରେ ଖୋର୍ଦ୍ଧା ବ୍ଲକ