ଢେଙ୍କାନାଳ:ଥମୁନି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ୨ ମହିଳାଙ୍କୁ କଚାଡି ମାରିଲା ହାତୀ । ମୃତ ମହିଳା ଦୁଇଜଣ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ବାଘୁଆ ସାହିର ପୁଟି ସାମଲ ଓ ଅଗାରୀ ସାମଲ । ଏହି ଦୁଇ ମହିଳା ମହୁଲ ଗୋଟାଇବାକୁ ଯାଇଥିବା ବେଳେ ତାଙ୍କ ଗ୍ରାମ ନିକଟସ୍ଥ ଗଣ୍ଠି ନାଳ ନିକଟରେ ଉଭୟେ ହାତୀ ପଲଙ୍କ ହାବୁଡ଼ରେ ପଡି ଯାଇଥିଲେ । ଫଳରେ ହାତୀ ମାନେ ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଟେକି କଚାଡି ଦେଇଥିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ କରି ହାତୀ ମାନେ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଖଜୁରିକଟା ସେକ୍ସନର କଇ ସଂରକ୍ଷିତ ଜଙ୍ଗଲକୁ ପଳାଇଥିବା ଜଣାପଡିଛି ।
ଅନ୍ୟପଟେ ଏନେଇ ବନକର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ହାତୀ ଆକ୍ରମଣରେ ଦୁଇ ଦୁଇଜଣ ମହିଳାଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ଗ୍ରାମବାସୀ ପୁରୁଣାକଟକ ସମ୍ବଲପୁର ରାସ୍ତାର ଦୁଦୁରୁକୋଟ ଛକରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । ଘଟଣାସ୍ଥଳକୁ ବାଲିମି ଓ ହିନ୍ଦୋଳ ଥାନା ପୋଲିସ ଓ ବନକର୍ମଚାରୀ ପହଞ୍ଚି ବୁଝାସୁଝା କରିବା ସାଙ୍ଗକୁ କ୍ଷତିପୂରଣ ମିଳିବାର ପ୍ରତିଶୃତି ଦେଇଥିଲେ । ଫଳରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।
ଏହା ମଧ୍ୟ ପଢନ୍ତୁ-ବୋଲେରୋକୁ ଧକ୍କା ଦେଲା ଦୁରନ୍ତ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ