ଢେଙ୍କାନାଳ:କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଜି(ଗୁରୁବାର) ଓକିଲ ସଂଘ ତରଫରୁ କାମାକ୍ଷାନଗର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବରିଷ୍ଠ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଏହି ବନ୍ଦ ଡାକାରା ଦେଇଥିଲେ ଓକିଲ ସଂଘ । ବନ୍ଦ ଡାକରାକୁ ୧୨ଟି ସଂଗଠନ ସମର୍ଥନ କରିଥିବା ବେଳେ ଏହାର ପ୍ରଭାବରେ କାମାକ୍ଷାନଗରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିଥିଲା । ଏଥି ସହ ସରକାରୀ ବେସରକାରୀ ସ୍କୁଲ, କଲେଜ, ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିଥିଲା । କାମାକ୍ଷାନଗରର ଅନେକ ସ୍ଥାନରେ ବ୍ୟାନର ଲଗାଇ ବନ୍ଦ ପାଳନ କରିଥିଲେ ବିଭିନ୍ନ ସଂଗଠନ ।
ଗତ ସେପ୍ଟେମ୍ବର ମାସ ୨୮ ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ ଦୁଇ ଜଣ ଆଇନଜୀବୀ ଓ ଦୁଇ ଜଣ କୋର୍ଟ କର୍ମଚାରୀ ଖାଇବାକୁ ଯାଇଥିଲେ । ସେଠାରେ ସାମାନ୍ୟ କଥାକୁ ନେଇ ୬ ରୁ ୭ ଜଣ ଯୁବକ ସଂଘବଦ୍ଧ ଭାବେ ଆଇନଜୀବୀ ଓ କୋର୍ଟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଆଇନଜୀବୀ ଓ ୨ କୋର୍ଟ କର୍ମଚାରୀ ଆହାତ ଅବସ୍ଥାରେ ପଡି ରହିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରି ଜଣଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କ ଚିକିତ୍ସା ଜାରି ରହିଥିଲା ।