ଓଡିଶା

odisha

ETV Bharat / state

ଅର୍ଥାଭାବରୁ 4 ବର୍ଷ ଧରି ଅଜଣା ରୋଗରେ ଛଟପଟ ସୁମତି

ଅର୍ଥାଭାବରୁ ଚିକିତ୍ସା କରାଇ ନପାରି ଦୀର୍ଘ ଚାରିବର୍ଷ ହେଲା ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡାଛପଲ ପଞ୍ଚାୟତ ଅଧିନସ୍ଥ ବିଛଣାପୁର ଗାଁର 65 ବର୍ଷୀୟା ବିଧବା ବୃଦ୍ଧା ସୁମତି ସାହୁ ।

By

Published : Nov 25, 2019, 10:32 PM IST

ଅଜଣା ରୋଗରେ ଛଟପଟ ବୃଦ୍ଧା ସୁମତି: ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଦେବଗଡ: ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି ପେଟର ଆକାର । ଅଜଣା ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜଣେ ଅସହାୟ ବିଧବା ବୃଦ୍ଧା । ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ଅର୍ଥାଭାବରୁ ଚିକିତ୍ସା କରାଇ ନପାରି ଦୀର୍ଘ ଚାରିବର୍ଷ ହେଲା ଅସହ୍ୟ ରୋଗ ଯନ୍ତ୍ରଣା ଭୋଗୁଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡାଛପଲ ପଞ୍ଚାୟତ ଅଧିନସ୍ଥ ବିଛଣାପୁର ଗାଁର 65 ବର୍ଷୀୟା ବିଧବା ବୃଦ୍ଧା ସୁମତି ସାହୁ ।

ଅଜଣା ରୋଗରେ ଛଟପଟ ବୃଦ୍ଧା ସୁମତି: ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ବିଛଣାପୁର ଗାଁରେ ରହୁଥିବା ସୁମତିଙ୍କ ବୟସ ପାଖାପାଖି 65 ହେବ । ସ୍ବାମୀ ଗୌତମ ସାହୁଙ୍କ ଦୀର୍ଘ ଦଶବର୍ଷ ହେବ ଦେହାନ୍ତ ହୋଇ ସାରିଛି । ପରିବାର କହିଲେ ପାଖରେ ଅଛନ୍ତି କେବଳ ଜଣେମାତ୍ର 17 ବର୍ଷୀୟା ଝିଅ ଆଶାଲତା ।

ପରିବାର ପ୍ରତିପୋଷଣ କରିବା ସହିତ ଝିଅ ଆଶାଲତାକୁ ପାଠ ପଢ଼ାଇ ମଣିଷ କରିବା ପାଇଁ ବୃଦ୍ଧା ଜଣକ ପରଘରେ ମୂଲ ମଜୁରୀ କରି ଦୁଇପାଇସା ରୋଜଗାର କରି ଆସୁଥିଲେ । ମାତ୍ର ଆଜକୁ ଦୀର୍ଘ ଚାରିବର୍ଷ ହେଲା ଏକ ଅଜଣା ରୋଗର ଶିକାର ହୋଇ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ସୁମତି । ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି ପେଟର ଆକାର । ପେଟ ବଢ଼ିବା ସହିତ ଯନ୍ତ୍ରଣା ମଧ୍ୟ ଅସହ୍ୟ ହେବାରେ ଲାଗିଛି । ଫଳରେ ସୁମତି ଆଉ ଚଳପ୍ରଚଳ କିମ୍ବା କାମଧନ୍ଦା କରିନପାରି ଚାରିବର୍ଷ ହେବ ଶଯ୍ୟାଶାୟୀ ହୋଇଛନ୍ତି । ଉତ୍କଟ ଦାରିଦ୍ର୍ୟ ଓ ଅର୍ଥାଭାବ କାରଣରୁ ଚିକିତ୍ସା କରାଇବା ସମ୍ଭବ ହେଉନାହିଁ । ତେଣୁ ଭାଗ୍ୟକୁ ଆଦରି ବିଛଣା ଉପରେ ପଡିରହିଛନ୍ତି ଅସହାୟ ବୃଦ୍ଧା ଜଣକ ।

ଅନ୍ୟପକ୍ଷରେ, ମା'ଙ୍କ ସେବା କରିବା ଓ ପରିବାର ଚଳାଇବା କଷ୍ଟକର ହେବାରୁ କଲେଜରେ ଯୁକ୍ତ ଦୁଇ ପାଠ ପଢ଼ୁଥିବା ଝିଅ ଆଶାଲତା ଅଧରୁ ପାଠ ଛାଡି ଆସି ପରଘରେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଯେଉଁ କାରଣରୁ ପାଠପଢିବା ସ୍ବପ୍ନ ଧୂଳିସାତ ହୋଇଯାଇଛି । ତେବେ ଅର୍ଥାଭାବ ଯୋଗୁଁ ମା'ର ଚିକିତ୍ସା କରାଇବା ଓ ଅଧିକ ପାଠ ପଢିବା ସମ୍ଭବ ହେଉନଥିବା କହନ୍ତି ଆଶାଲତା ।

ବିଛଣାପୁର ଗାଁରେ ବସବାସ କରୁଥିବା ଅସହାୟ ବୃଦ୍ଧା ସୁମତି ସାହୁଙ୍କ ଅବସ୍ଥା ଚିକିତ୍ସା ଅଭାବରୁ ଦିନକୁଦିନ ବିଗିଡିବାରେ ଲାଗିଛି । ଏହାକୁ ନେଇ ଗ୍ରାମବାସୀ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି । ତେବେ ସୁମତିଙ୍କ ଚିକିତ୍ସା ପାଇଁ ସରକାର ଯଦି କିଛି ଆର୍ଥିକ ସହାୟତା କରନ୍ତି ତାହେଲେ ରୋଗ ଯନ୍ତ୍ରଣାରେ ଦୀର୍ଘ ସମୟ ଧରି ଛଟପଟ ହେଉଥିବା ସୁମତି ଆରୋଗ୍ୟ ଲାଭ କରିପାରନ୍ତେ ବୋଲି ଗ୍ରାମବାସୀ ଆଶାବାଦୀ ଅଛନ୍ତି ।

ଆର୍ଥିକ ଅନଗ୍ରସର ଓ ଅସହାୟ ରୋଗଗ୍ରସ୍ତଙ୍କୁ ଚିକିତ୍ସା ସହାୟତା ଯୋଗାଇ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ବିଶେଷକରି ଅସହାୟଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠି ରହିଛି । ତେବେ ବିଛଣାପୁର ଗାଁରେ ଦୀର୍ଘବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରତି ମୁହୁର୍ତ୍ତରେ ମୃତ୍ୟୁକୁ ସାମ୍ନା କରୁଥିବା ଅସହାୟ ବିଧବା ବୃଦ୍ଧା ସୁମତି ସାହୁଙ୍କ ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର କେବେ କୃପାଦୃଷ୍ଟି ପଡୁଛି । ତାହା ଦେଖିବାକୁ ବାକି ରହିଲା ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details