ଦେବଗଡ଼: ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାର ଉର୍ବର ମୃତ୍ତିକା ଓ ଜଳବାୟୁ ମୁଖ୍ୟତଃ ତରଭୁଜ ଚାଷ ପାଇଁ ବେଶ ଉପଯୋଗୀ । ସେହି ଦୃଷ୍ଟିରୁ ଜିଲ୍ଲାର ଅଧିକାଂଶ ଚାଷୀ ତରଭୁଜ ଚାଷ ପ୍ରତି ମନ ବଳାଇଥାନ୍ତି । ବିଶେଷ କରି ଜିଲ୍ଲାର ବାରକୋଟ ବ୍ଲକ ଓ ତିଳେଇବଣି ବ୍ଲକରେ ଥିବା ବ୍ରାହ୍ମଣୀ ନଦୀ ଓ ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଅଞ୍ଚଳରେ ପ୍ରତିବର୍ଷ ବିପୁଳ ମାତ୍ରାରେ ତରଭୁଜ ଚାଷ କରାଯାଇଥାଏ । ନାମଧାରୀ , ପୁନମ , କିରଣ, କିଷମ, ରାଜକୁମାର ଓ ସୁଇଟହାର୍ଟ ଆଦି କିସମର ତରଭୁଜ ଚାଷ କରି ଚାଷୀମାନେ ଭଲ ଦୁଇପଇସା ରୋଜଗାର କରିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଉଚିତ ବଜାର ମିଳୁନଥିବାରୁ କ୍ଷତି ସହୁଛନ୍ତି ତରଭୁଜ ଚାଷୀ । ବିହନ ସାର ଓ କୀଟନାଶକ ଔଷଧର ମୂଲ୍ୟବୃଦ୍ଧି ଚାଷୀଙ୍କୁ ଚିନ୍ତାରେ ପକାଇଛି ।
ଜିଲ୍ଲାରେ ମୁଖ୍ୟତଃ ଫେବୃଆରୀ ଓ ମାର୍ଚ୍ଚ ମାସ ବେଳକୁ ତରଭୁଜ ଅମଳ ହୋଇ ବିକ୍ରି ହୋଇଥାଏ । ଦେବଗଡ଼ ଜିଲ୍ଲାର ତରଭୁଜ ବେଶ ସୁସ୍ୱାଦୁ ହୋଇଥିବାରୁ ଓ ଏହାର ଅଧିକ ଚାହିଦା ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବେପାରୀମାନେ ଆସି ତରଭୁଜ କ୍ରୟ କରି ନେଇଥାନ୍ତି । ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବାଲିରୋଇ, ରୁଗୁଡ଼, ଚାରିମଞ୍ଚା, ମଣ୍ଡାଶିଳା, ରାଇତାବାହାଲ, ସୁଗୁଡା ଓ ବଲମ ଆଦି ଅଞ୍ଚଳରେ ପ୍ରାୟ 500 ହେକ୍ଟର ପରିମିତ ଜମିରେ ତରଭୁଜ ଚାଷ କରାଯାଇଛି । ମାତ୍ର ତରଭୁଜ ବିହନ, ସାର ଓ କୀଟନାଶକ ଔଷଧର ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଜିଲ୍ଲାରେ ତରଭୁଜ ସଂରକ୍ଷଣ ଓ ଉପଯୁକ୍ତ ବିକ୍ରୟ ବ୍ୟବସ୍ଥା ନଥିବାରୁ ଚାଷୀମାନେ ତରଭୁଜ ଚାଷ ଉପରୁ ଧୀରେ ଧୀରେ ମୁହଁ ଫେରାଇ ନେଉଥିବା ଦେଖାଯାଇଛି ।