ଦେବଗଡ: ଜୁଆଡେ ଚାହିଁବ ପାଣି ଆଉ ପାଣି । ପାଣି ଯେତିକି ବଢୁଛି ଭୟ ବି ସେତିକି ବଢୁଛି । ଜଳ ଘେରରେ ବିତୁଛି ଜୀବନ । ପ୍ରତିଟି ମୁହୂର୍ତ୍ତରେ ବିପଦକୁ ସାମ୍ନା କରୁଛନ୍ତି ଗ୍ରାମବାସୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ସୁନାମୁଣ୍ଡା ଗ୍ରାମରେ । ଗାଁକୁ ରେଙ୍ଗାଳି ଜଳଭଣ୍ଡାର ଘେରିଛି ଫଳରେ ଡରି ଡରି ରହୁଛନ୍ତି ଗାଁ ଲୋକ । ଏଥିପ୍ରତି ପ୍ରଶାସନର ନଜର ନାହିଁ ।
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରାଇତାବାହାଳ ପଞ୍ଚାୟତର ରେଙ୍ଗାଳି ଜଳଭଣ୍ଡାର ତଟରେ ଅବସ୍ଥିତ ସୁନାମୁଣ୍ଡା ଗାଁ । ଏହି ଗାଁ ରେ ଆଜକୁ ଦୀର୍ଘ 30 ବର୍ଷରୁ ଅଧିକ ହେଲା ବସବାସ କରି ଆସୁଛନ୍ତି 20ଟି ପରିବାର । ଏହି ଗାଁଟି ରେଙ୍ଗାଳି ଜଳଭଣ୍ଡାରର ପରିସୀମା ମଧ୍ୟରେ ରହିଥିବାରୁ ଗାଁକୁ ଚତୁର୍ପାର୍ଶ୍ଵରୁ ଘେରି ରହିଛି ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ଜଳଭଣ୍ଡାର । ମୁଖ୍ୟତଃ ଏହି ଗାଁଟି ପ୍ରତିବର୍ଷ ବର୍ଷାଋତୁରେ ଜଳବନ୍ଦୀ ହୋଇ ରହୁଛି ।