ଦେବଗଡ:ପ୍ରପାତ ସୁନ୍ଦରୀ ପ୍ରଧାନପାଟ । ପ୍ରସିଦ୍ଧ ପର୍ଯ୍ୟଟନୀର ମାନ୍ୟତା ପାଇଥିବା ଏହି ଜଳପ୍ରପାତ କେବଳ ସୌନ୍ଦର୍ଯ୍ୟ ଓ ଶୋଭାରାଜିରେ ପୂର୍ଣ୍ଣ ନୁହେଁ । ବରଂ ଏହା ଦେବଗଡବାସୀଙ୍କ ଲାଇଫ ଲାଇନ । ରାଜା ରାଜୁଡା ସମୟରୁ ପ୍ରଧାନପାଟ ଜଳପ୍ରପାତର ଜଳ ଦେବଗଡ଼ ସହରବାସୀଙ୍କ ତୃଷା ନିବାରଣ କରି ଆସୁଛି । ପାନୀୟ ଜଳ ପାଇଁ ଏହି ଜଳପ୍ରପାତ ଉପରେ ସହରବାସୀ ବହୁ ଦଶନ୍ଧି ଧରି ନିର୍ଭର କରି ଆସୁଛନ୍ତି । ରାଜତନ୍ତ୍ର ବିଲୋପ ପରଠାରୁ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଜଳପ୍ରପାତର ଜଳକୁ ସଂଗ୍ରହ ଓ ବିଶୋଧନ କରି ପାଇପ ମାଧ୍ୟମରେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି ।
ମାତ୍ର ବିଗତ କିଛିବର୍ଷ ହେଲା ଶୁଖି ଆସୁଛି ଏହି ଜଳ ପ୍ରପାତ । ଉଦବେଗଜନକ ଭାବେ ହ୍ରାସ ପାଉଛି ଏହାର ଜଳ ଧାରଣ କ୍ଷମତା । ସଙ୍କୁଚିତ ହେବାରେ ଲାଗିଛି ଝରଣାର ଜଳଧାର । ଫଳରେ ଦେବଗଡ଼ ସହରବାସୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ଏହି ଜଳ ପ୍ରପାତ । ଗୋଟିଏ ପକ୍ଷରେ ଦ୍ରୁତଗତିରେ ଜଙ୍ଗଲ କ୍ଷୟ ଯୋଗୁଁ ଜଳପ୍ରପାତର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଥିବା ବେଳେ ଅନ୍ୟ ପକ୍ଷରେ ଦେବଗଡ଼ ସହରରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ତେଣୁ ଦେବଗଡ଼ ସହରରେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେବଗଡ଼ ସହରରେ 4800 ଘରକୁ ପାଇପ ସଂଯୋଗ ଦିଆଯାଇଛି । ଏହି ଅନୁଯାୟୀ, ଦୈନିକ 3.68 ( MLD ) ଏମଏଲଡି ଜଳର ଆବଶ୍ୟକତା ରହିଥିବା ବେଳେ, ମିଳୁଛି ମାତ୍ର 2.28 ( MLD ) ଏମଏଲଡି ଜଳ । ସେଥିମଧ୍ୟରୁ ପ୍ରଧାନପାଟ ଜଳପ୍ରପାତରୁ ମିଳୁଛି ମାତ୍ର 1.5 ( MLD ) ଏମଏଲଡି ଜଳ । ଯାହାକି ସହରବାସୀଙ୍କ ପାନୀୟଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନି । ଫଳରେ ଦେବଗଡ଼ ସହରରେ ଦେଖାଦେଇଛି ଉତ୍କଟ ପାନୀୟଜଳ ସଙ୍କଟ ।