ଦେବଗଡ: ପ୍ରପାତ ସୁନ୍ଦରୀ ପ୍ରଧାନପାଟ । ପ୍ରସିଦ୍ଧ ପର୍ଯ୍ୟଟନୀର ମାନ୍ୟତା ପାଇଥିବା ଏହି ଜଳପ୍ରପାତ କେବଳ ସୌନ୍ଦର୍ଯ୍ୟ ଓ ଶୋଭାରାଜିରେ ପୂର୍ଣ୍ଣ ନୁହେଁ । ବରଂ ଏହା ଦେବଗଡବାସୀଙ୍କ ଲାଇଫ ଲାଇନ । ବର୍ତ୍ତମାନ ପ୍ରଧାନପାଟର ଜଳଧାରଣା କ୍ଷମତା ଅତି ଉଦବେଗ ଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଜିଲ୍ଲାରେ ମୁଣ୍ଡ ଟେକିଲାଣି ଜଳାଭାବର ଚିନ୍ତା ।
ଘନଉଛି ଦେବଗଡବାସୀଙ୍କ ସଙ୍କଟ । ଶୁଖିବାରେ ଲାଗିଛି ପ୍ରପାତ ସୁନ୍ଦରୀ । ହ୍ରାସ ପାଉଛି ପ୍ରଧାନପାଟର ଜଳଧାରଣ କ୍ଷମତା । ଫଳରେ ଜିଲ୍ଲାରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି । ଆଉ ଏହାର କାରଣ ହେଉଛି ଜଙ୍ଗଲ ଅବକ୍ଷୟ, ଜନସଂଖ୍ୟା ବୃଦ୍ଧି ଓ ଭୂତଳ ଜଳସ୍ତର ଦ୍ରୁତ ଗତିରେ କମିବା । ସେପଟେ, ଦେବଗଡ ପୌରାଞ୍ଚଳକୁ ଦୈନିକ 4ଏମଏଲଡି(Millions of water per day) ଆବଶ୍ୟକ ଥିବାବେଳେ, ମିଳୁଛି ମାତ୍ର 1ଏମଏଲଡି ପାଣି । ଫଳରେ ମେଣ୍ଟୁନି ସହରବାସୀଙ୍କ ଆବଶ୍ୟକତା ।
ହ୍ରାସ ପାଉଛି ପ୍ରଧାନପାଟର ଜଳଧାରଣା କ୍ଷମତା ରାଜା ରାଜୁଡା ଶାସନ କାଳରୁ ପ୍ରଧାନପାଟ ଜଳକୁ ପାଇପ ଯୋଗେ, ସହରବାସୀଙ୍କୁ ଯୋଗାଇ ଦିଆଯାଉଥିଲା । ହେଲେ ରାଜତନ୍ତ୍ରର ବିଲୋପ ପରେ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଧାନପାଟ ଜଳପ୍ରପାତର ଜଳକୁ ସଂଗୃହିତ କରି ବିଶୋଧନ ପରେ ପାଇପ ଯୋଗେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ମାତ୍ର ବିଗତ କିଛି ବର୍ଷ ହେବ, ଜଳ ଧାରଣା କ୍ଷମତା ହ୍ରାସ ପାଇବା ଯୋଗୁଁ ପାଣି ବୁନ୍ଦାଏ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।
ଏ ସମସ୍ୟା ଦୂର କରିବାକୁ 2013ରେ ସରକାର ରେଙ୍ଗାଲି ଜଳଭଣ୍ଡାର ଗାଡପାଳରୁ ପାଇପ ଯୋଗେ ଜଳ ଯୋଗାଇବାକୁ ଏକ ପ୍ରକଳ୍ପ ଅନୁମୋଦନ କରିଥିଲେ । ଏଥିପାଇଁ 19କୋଟି 82ଲକ୍ଷ ଟଙ୍କା ବ୍ୟୟବରାଦ ବି ହେଲା । କିନ୍ତୁ ପରେ ପୁଣି ପ୍ରକଳ୍ପକୁ ସ୍ଥଗିତ ରଖି ବାରକୋଟ ଜଳଭଣ୍ଡାରରୁ ପାଣି ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଗଲା । ଆଉ ଏଥିପାଇଁ ପ୍ରଶାସନ 32କୋଟି ଟଙ୍କା ଏଷ୍ଟିମେଟ କରି ପଠାଇ ସାରିଛି । ହେଲେ ଯୋଜନାକୁ ଆଗକୁ ନେବାକୁ ଇଚ୍ଛା କରୁନାହାଁନ୍ତି ସରକାର । ପ୍ରକୃତିର ଉପହାର ପ୍ରଧାନପାଟ କେବଳ ଆକର୍ଷଣୀ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏହା ଜିଲ୍ଲାବାସୀଙ୍କ ଲାଇଫ ଲାଇନ । ତେବେ ଆଗାମୀ ଦିନରେ ଏଥିପ୍ରତି ନଜର ନଦେଲେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେବେ ଦେବଗଡବାସୀ ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ