ଭୁବନେଶ୍ବର: ବିଜେଡିର ଦେବଗଡ ପ୍ରାର୍ଥୀତ୍ବକୁ ନେଇ ଦେଖାଦେଇଛି ବିଦ୍ରୋହ । ଗତକାଲି ମୁଖ୍ୟମନ୍ତ୍ରୀ ଦେବଗଡରୁ ଜଣେ ଯୁବ ପ୍ରାର୍ଥୀ ଭାବେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛନ୍ତି । ଯାହାକୁ ନେଇ ଦେବଗଡରେ ଦେଖାଦେଇଛି ବିଦ୍ରୋହ ।
ଆଜି ନବୀନ ନିବାସରୁ ଦଳୀୟ ଟିକେଟ ନେଇ ଆସିବା ପରେ ତାଙ୍କୁ ବିରୋଧ କରିଛନ୍ତି ଜିଲ୍ଲା ସଭାପତି । ରୋମାଞ୍ଚଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଜିଲ୍ଲା ସଭାପତି ସୁଧିର କପରଦାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ସୁଧିର ମଧ୍ୟ ଆଜି ନବୀନ ନିବାସରେ ପହଞ୍ଚି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିଛନ୍ତି ସେ ଜଣେ ମାଫିଆ । ହେଲେ ଗତ 12 ବର୍ଷ ହେଲା ତାଙ୍କୁ ଦେବଗଡରେ ସଂଗଠନ କରିବାକୁ କୁହାଯାଇଛି । ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ବିଜେଡିର ସଂଗଠନକୁ ସଦୃଢ କରିବାକୁ ସେ ଗୋତି ଶ୍ରମିକ ଭଳି କାର୍ଯ୍ୟ କରିଛନ୍ତି । ତାଙ୍କୁ ପୂର୍ବରୁ ପ୍ରାର୍ଥୀ କରାଯିବା ନେଇ ଆଶା ଦେଖାଦେଇଥିଲା । ହେଲେ ଦଳରେ ତାଙ୍କୁ ଅପମାନିତ ଓ ଅଣଦେଖା କରାଯାଇଛି ବୋଲି ସୁଧିର କହିଛନ୍ତି ।