ଦେବଗଡ଼: ବିଦ୍ୟାଳୟ ଯିବାକୁ ରାସ୍ତା ଦୁର୍ଗମ । ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଅଭିଭାବକ । ବିଦ୍ୟାଳୟରେ ପାଠ ପଢିବାକୁ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବାରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦେବଗଡ଼ ତିଲେଇବଣି ବ୍ଲକ ବିଛଣାପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ସୁବର୍ଣ୍ଣପାଲି ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି । ତେବେ ବିଦ୍ୟାଳୟକୁ ଯିବା ରାସ୍ତା ଅତ୍ୟନ୍ତ ଦୁର୍ଗମ ଓ ଅଧିକ ବାଟ ହୋଇଥିବାରୁ ବିଛଣାପୁର ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି ।
ସରକାରଙ୍କ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ 20 ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ମିଶେଇବାକୁ ନିର୍ଦ୍ଦେଶ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ବିଛଣାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା ଦର୍ଶାଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ବନ୍ଦ କରି ନିକଟସ୍ଥ ସୁବର୍ଣ୍ଣପାଲି ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନୋଟିସ୍ ଦିଆଯାଇଛି । ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ବିଭାଗର ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ବିଛଣାପୁର ଗ୍ରାମବାସୀ ।