ଦେବଗଡ଼: ୩ ମାସ ତଳେ ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିଲା । ହେଲେ ଆଜି ଯାଏଁ ନୂଆ ଟ୍ରାନ୍ସଫର୍ମର ଲାଗି ପାରିଲାନି । ଫଳରେ ଗାଁରେ ଆଉ ଜଳୁନି ବିଜୁଳି ବତୀ । ମାସ ମାସ ହେଲା କିଟିମିଟି ଅନ୍ଧାର ଭିତରେ ଦିନ କାଟୁଛନ୍ତି ଲୋକେ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଦେଶୀଙ୍କୁଳି ଗ୍ରାମରେ । ଗ୍ରାମବାସୀ ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର କାର୍ଯ୍ୟାଳୟକୁ ଯାଇ ବାରମ୍ବାର ସମସ୍ୟା ଜଣାଉଥିଲେ ବି କର୍ତ୍ତୃପକ୍ଷ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ଦେଶୀଙ୍କୁଳି ଗ୍ରାମରେ ୪୦ ଆଦିବାସୀ ପରିବାର ବସବାସ କରନ୍ତି । ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ହୋଇଛି । ଜିଲ୍ଲାର ଏହି ଦୁର୍ଗମ ପ୍ରାନ୍ତରେ ବସବାସ କରୁଥିବା ଗ୍ରାମବାସୀ ବିଦ୍ୟୁତ ଆଲୁଅ ଟିକିଏ ପାଇ ସହଜରେ ଜୀବନଯାପନ କରୁଥିଲେ । ମାତ୍ର ଆଜକୁ ଦୀର୍ଘ ତିନି ମାସ ହେଲା ଗ୍ରାମରେ ବିଜୁଳି ବତୀ ଜଳୁନି । ଗାଁ ମୁଣ୍ଡରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡି ଯିବାରୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇପଡିଛି । ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଥିବା ବେଳେ ବର୍ଷା ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ଆଲୁଅ ଟିକିଏ ନଥିବାରୁ ବଣ ପାହାଡ଼ ଘେରା ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ତିଳେଇବଣି ଠାରେ ଥିବା ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର କାର୍ଯ୍ୟାଳୟକୁ ଯାଇ ଜଣାଇ ଆସୁଛନ୍ତି । ମାତ୍ର ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ କରିବା ତଥା ପୋଡା ଟ୍ରାନ୍ସଫର୍ମରକୁ ବଦଳାଇ ନୂଆ ଟ୍ରାନ୍ସଫର୍ମର ଲଗାଇବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।