ଓଡିଶା

odisha

By

Published : Apr 3, 2023, 12:27 PM IST

Updated : Apr 3, 2023, 12:58 PM IST

ETV Bharat / state

ଚୁଆ ମେଣ୍ଟାଉଛି ଶୋଷ, ଜଳକଷ୍ଟ ଭୋଗୁଛନ୍ତି ରାୟପୁର ଗ୍ରାମବାସୀ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାତର ଦୁର୍ଗମ ପାହାଡ଼ ଘେରା ଗ୍ରାମ ରାୟପୁରରେ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

water problem
water problem

water problem

ଦେବଗଡ:ଡହଡହ ଖରାରେ ଜଳକଷ୍ଟ । ଦିନକୁ ଦିନ ଗରମ ବଢୁଥିବା ବେଳେ ଦେବଗଡ଼ ଜିଲ୍ଲାର ରାୟପୁର ଗ୍ରାମରେ ଜଳ ସଙ୍କଟର ଉତ୍କଟ ରୂପ ମଧ୍ୟ ଦେଖିବାକୁ ମିଳିଛି । ଚାଷଜମିରେ ଚୁଆ ଖୋଳି ସେଠାରୁ ଜଳ ସଂଗ୍ରହ କରୁଛନ୍ତି ଗ୍ରାମବାସୀ । ଜଳ ମୁନ୍ଦାଏ ପାଇଁ ଗାଁ ଠାରୁ ଅଧ କିଲୋମିଟର ଦୂରରେ ଚାଷଜମିରେ ଖୋଳା ଯାଇଥିବା ଚୁଆ ଉପରେ ସମସ୍ତେ ନିର୍ଭର କରି ଆସୁଛନ୍ତି ।

ତେବେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାତର ଦୁର୍ଗମ ପାହାଡ଼ ଘେରା ଗ୍ରାମ ରାୟପୁର । ଏହି ଛୋଟ ଗ୍ରାମରେ 40ଟି ମୁଣ୍ଡା ଆଦିବାସୀ ପରିବାର ବସବାସ କରନ୍ତି । କୁଲି ମଜୁରୀ କରି ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଇଥାନ୍ତି ସମସ୍ତେ । ହେଲେ ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଏହି ଗାଁକୁ ପହଞ୍ଚି ପାରିନି ବିକାଶର ଆଲୁଅ । ଅନ୍ୟକଥା ଦୂରେଥାଉ, ପାନୀୟ ଜଳ ଭଳି ମୌଳିକ ସେବା ପାଇବାରୁ ବଞ୍ଚିତ ହୋଇ ଆସିଛନ୍ତି ଗ୍ରାମବାସୀ । ଏହି ଆଦିବାସୀ ଅଧ୍ୟୁଷିତ ଗାଁରେ ଦେଖାଦେଇଛି ଉତ୍କଟ ପାନୀୟଜଳ ସମସ୍ୟା । ଗାଁରେ ଗୋଟିଏ ମାତ୍ର ନଳକୂପ ଥିବା ତାହା ବହୁ ବର୍ଷ ଧରି ଅଚଳ ହୋଇପଡିଛି । ସେଠାରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଲୋକେ ପାନୀୟଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ।

ଶୋଷ ମେଣ୍ଟାଇବାକୁ କୌଣସି ଅନ୍ୟ ଉପାୟ ନପାଇ ଶେଷରେ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରୀଷ୍ମ ପହିଲାରୁ ଗାଁ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଚାଷଜମି ଉପରେ ଖୋଳିଛନ୍ତି ତିନୋଟି ଚୁଆ । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଜଳ ମୁନ୍ଦାଏ ପାଇଁ ସେଠାକୁ ଧାଉଛନ୍ତି ସମସ୍ତେ । ସେଠାରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଇବା ସହ ନିତ୍ୟକର୍ମ କରି ଆସୁଛନ୍ତି । ଗୃହ ପାଳିତ ପଶୁ ମଧ୍ୟ ଏହି ଚୁଆ ଉପରେ ନିର୍ଭର କରୁଛନ୍ତି । ବେଳେବେଳେ ଚୁଆ ମଧ୍ୟ ଲୋକଙ୍କ ପାନୀୟଜଳ ଆବଶ୍ୟକତାକୁ ପୂରଣ କରିପାରୁନାହିଁ । ଫଳରେ ଜଳ ମୁନ୍ଦାଏ ପାଇଁ ଲୋକଙ୍କୁ ବହୁ ସମୟ ଧରି ଚୁଆ ପାଖରେ ଅପେକ୍ଷା କରିବାକୁ ପଡୁଛି । ଅନ୍ୟପକ୍ଷରେ ଚୁଆର ଦୂଷିତ ପାଣି ପିଇ ଗ୍ରାମବାସୀ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ତେବେ ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ଗାଁରେ ଏଭଳି ସମସ୍ୟା ଦେଖାଦେଇଥିବା ବେଳେ ଆଗକୁ ମେ ଓ ଜୁନ ମାସ ବେଳକୁ ଏହି ଚୁଆ ମଧ୍ୟ ଶୁଖିଯିବ । ଫଳରେ ପରେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି । ଏନେଇ ଗ୍ରାମବାସୀ ଗ୍ରୀଷ୍ମଋତୁରେ କିଭଳି ପାନୀୟଜଳ ମୁନ୍ଦାଏ ପାଇବେ ? ତାହା ଚିନ୍ତାର ବିଷୟ ହୋଇଛି । ଗାଁରେ ଥିବା ପୁରୁଣା ଓ ଅଚଳ ନଳକୂପକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରାଯିବା ଓ ଅନ୍ତତଃ ପକ୍ଷେ ଆଉ ଗୋଟିଏ ନଳକୂପ ଖୋଲାଯିବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦୀର୍ଘ ବର୍ଷ ହେଲା ବାରମ୍ବାର ହାରିଗୁହାରି କରି ଆସୁଛନ୍ତି । ମାତ୍ର ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ ।

ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାର କେତେକଣ ଯୋଜନା କରୁଛନ୍ତି । ପ୍ରତି ଘରକୁ ଓ ପ୍ରତି ପରିବାରକୁ ପାଇପ ଯୋଗେ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ଵଜଳଧାରା ଠାରୁ ଆରମ୍ଭ କରି ବସୁଧା ଯୋଜନା ପର୍ଯ୍ୟନ୍ତ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯୋଜନା ନାମରେ ସରକାରୀ ରାଜକୋଷରୁ ଅଜସ୍ର ଟଙ୍କା ମଧ୍ୟ ବ୍ୟୟ ହେଉଛି । ହେଲେ ରାୟପୁର ଗ୍ରାମବାସୀଙ୍କ ଜଳକଷ୍ଟ ଦେଖିଲେ ସରକାରଙ୍କ ଏସବୁ ଯୋଜନାର ଗତି କୁଆଡେ ତାହା ସ୍ପଷ୍ଟ ବାରିହୋଇ ପଡୁଛି । ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଦେବଗଡ

Last Updated : Apr 3, 2023, 12:58 PM IST

ABOUT THE AUTHOR

...view details