ଦେବଗଡ: ଶୁଣିଲାନି ପ୍ରଶାସନ। ଶେଷରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ। ଗୃହ ନିର୍ମାଣ ପାଇଁ କାଟିଲେ ଏକର ଏକର ପରିମିତ ସଂରକ୍ଷିତ ଜଙ୍ଗଲ। ନଷ୍ଟ ହୋଇଗଲା ଶହଶହ ସଂଖ୍ୟାରେ ମୂଲ୍ୟବାନ ବୃକ୍ଷରାଜି । ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ରେଞ୍ଜ ଅଧିନ ବଡତଇଲା ସଂରକ୍ଷିତ ଜଙ୍ଗଲରେ।
ସୂଚନା ଅନୁଯାୟୀ, ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି ମହୁପାଳ ଗାଁ । ଏହି ଗାଁରେ ବସବାସ କରନ୍ତି 30ଟି ଆଦିବାସୀ ପରିବାର। ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି। ଏଥିସହିତ ଗାଁଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଥିବାରୁ ବର୍ଷ ତମାମ ଗାଁରେ ହାତୀ ଉପଦ୍ରଵ ଗ୍ରାମବାସୀଙ୍କ ଜୀବନ ଓ ଜୀବିକାକୁ ବହୁଗୁଣରେ ପ୍ରଭାବିତ କରିଛି। ତେଣୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନରେ ଥଇଥାନ କରାଇବାକୁ ଆଜକୁ ବହୁବର୍ଷ ହେଲା ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ।