ଦେବଗଡ଼ :ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୌର ପରିଷଦ ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ । ଏକ ଡ୍ରେନ କାମର ବିଲ୍ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଏହାସହ ଅନେକ ଖୋଳାତାଡ଼ ମଧ୍ୟ କରୁଛି ।
ସୂଚନାନୁସାରେ ଦେବଗଡ଼ ପୌର ପରିଷଦର ଏକ ଡ୍ରେନ କାମର ୪ ଲକ୍ଷ ଟଙ୍କା ବିଲ୍ କରାଇବାକୁ ପୌରାଞ୍ଚଳର ଠିକାଦାର କଳିତ କୁମାର କର ଯାଇଥିଲେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ପାଖକୁ । ସେଠାରେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଠିକାଦାର କଳିତ କୁମାରଙ୍କୁ ବିଲି ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥଲେ ।
ଏପରିକି ଲାଞ୍ଚ ନଦେଲେ ବିଲ ହେବନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ତେବେ ଏ ନେଇ ଠିକାଦାର କଳିତ କୁମାର ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗଟି ଭିଜିଲାନ୍ସ ବିଭାଗ ଗ୍ରହଣ କରିଥିଲେ । ଆଜି ଠିକାଦାର କଳିତ କୁମାର କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ତାଙ୍କ ଦେବଗଡ଼ ସ୍ଥିତ ଭଡା ଘରକୁ ଯାଇଥିଲେ ।ସେଠାରେ ବିଜୟାନନ୍ଦ ସାହୁଙ୍କୁ ବିଲ୍ ପାଇଁ ୮୦୦୦ ଟଙ୍କା ପ୍ରଦାନ କରୁଥିଲେ । ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଥିଲେ । ଏହା ସହ ତାଙ୍କ ପାଖରୁ କେମିକାଲ ବୋଳା ଯାଇଥିବା 8000 ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ ।