ଦେବଗଡ଼:ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି ଦେବଗଡ଼ ସହର । ସହରର ବଜାର ସାହି ବସ୍ତି ସବୁଠି ବୁଲୁଛନ୍ତି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ । ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ରାସ୍ତା । ଯାହାକୁ ନେଇ ସହରାଞ୍ଚଳରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ଗାଈଗୋରୁଙ୍କୁ ଗୁହାଳରେ ରଖିବାର ସାମର୍ଥ୍ୟ ନ ଥିବା କେତେକ ଗୋମାଲିକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅତିଷ୍ଠ ସହରବାସୀ । ଏନେଇ ଗୋପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସହରବାସୀ ।
ସୂଚନା ମୁତାବକ, ଦେବଗଡ଼ ପୌରାରାଞ୍ଚଳରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ସହରର ବିଭିନ୍ନ ସାହି ବସ୍ତି ଜନଗହଳି ପୂର୍ଣ୍ଣ ରାସ୍ତାଘାଟ ଓ ବଜାରରେ ମାଳମାଳ ହୋଇ ବୁଲୁଛନ୍ତି ଗାଈଗୋରୁ । ଫଳରେ ସାରା ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାଘାଟ ଅପରିଷ୍କାର ଓ ଅସ୍ବାସ୍ଥ୍ୟକର ହୋଇପଡିଛି । ଶହଶହ ସଂଖ୍ୟାରେ ବୁଲା ଗାଈଗୋରୁ ବିଭିନ୍ନ ରାସ୍ତା ଅବରୋଧ କରି ରହୁଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଦେଇଛି । ଏନେଇ ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟି ବହୁଲୋକ ଆହତ ହେଉଛନ୍ତି । ସେହିପରି ଯାନବାହନ ଧକ୍କାରେ ଅନେକ ଗାଈଗୋରୁ ମଧ୍ୟ ମୃତ୍ୟବରଣ କରୁଥିବା ଦେଖିବାକୁ ମିଳିଛି । ତେବେ ସହରରେ ଥିବା ଗୋପାଳକମାନେ ଗାଈଗୋରୁଙ୍କୁ ଗୁହାଳ ଘରେ ନରଖି ରାସ୍ତାଘାଟରେ ଛାଡି ଦେଉଛନ୍ତି । ଫଳରେ ଏଭଳି ସମସ୍ୟା ଦେଖାଦେଇଛି ।