ଦେବଗଡ:ଖଟ ନଥିବା ଗାଁ । ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଏମିତି ଏକ ଗାଁ ଅଛନ୍ତି ଯେଉଁଛି ଖଟ ବ୍ୟବହାର କଲେ ଅନିଷ୍ଟ ହେବ । ତେଣୁ କାହିଁ କେଉଁ ଅମଳରୁ ଏହି ଗାଁ ଲୋକ ଖଟ ବ୍ୟବହାର କରନ୍ତି ନାହିଁ । ଆସ୍ଥା ଓ ବିଶ୍ୱାସ ଆଗରେ ହାର ମାନିଛି ବିଜ୍ଞାନ । ଆଜିର ବିଜ୍ଞାନ ଯୁଗରେ ବି ନିଜ ପରମ୍ପରାକୁ ବଜାୟ ରଖିଛନ୍ତି ଗ୍ରାମବାସୀ । ଗ୍ରାମ ଇଷ୍ଟଦେବୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ଗାଁରେ ଖଟରେ ଶୋଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି(people sleep without bed )। ଗ୍ରାମବାସୀ ଏବେ ସୁଦ୍ଧା ଖଟରେ ନଶୋଇ ଚଟାଣ ଉପରେ ପାଲ ନିର୍ମିତ ପଟିଆ ପାରି ଶୋଉଛନ୍ତି । ଦେବଗଡ଼ ଜିଲ୍ଲା ଲେଇବଣି ବ୍ଲକ ଲାଇମୁରା ପଞ୍ଚାୟତ ଟିମ୍ପିରସିଂହା ଗ୍ରାମରେ ଏମିତି ବିରଳ ପରମ୍ପରା ଦେଖିବାକୁ ମିଳିଛି ।
ଆଦିବାସୀ ବହୁଳ ଟିମ୍ପିରସିଂହା ଗ୍ରାମରେ ପ୍ରାୟ ୩ଶହରୁ ଅଧିକ ଲୋକ ବସବାସ କରନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଚାଷବାସ କରି ଲୋକମାନେ ନିଜର ଜୀବନଜୀବିକା ନିର୍ବାହ କରିଥାନ୍ତି । ସେଥିମଧ୍ୟରୁ କିଛିଲୋକ ବିଭିନ୍ନ ସରକାରୀ ପଦରେ କାର୍ଯ୍ୟ କରନ୍ତି । ଏହି ଗାଁରେ ରହିଛି ଏହି ବିରଳ ପରମ୍ପରା । ଗାଁରେ ଖଟ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଲୋକଙ୍କ କଥା ଅନୁସାରେ ଗ୍ରାମର ଅଧିଷ୍ଟ୍ରାତ୍ରୀ ଦେବୀ ହେଉଛନ୍ତି ମା' ବରିହାଣୀ । କେଉଁ ଆବହମାନ କାଳରୁ ଗାଁରେ କେହି ଖଟରେ ନଶୋଇବା ପାଇଁ ରହିଛି ମାଙ୍କର ସ୍ୱପ୍ନାଦେଶ । ଗ୍ରାମଦେବୀ ଖଟରେ ଶୋଇଲେ ରୋଷ କରିବେ ଓ ଖଟ ଆପେ ଆପେ ଓଲଟି ଯାଉଥିବା ସହ ସର୍ପାଘାତ ଭୟ ରହୁଥିବାରୁ ଗାଁରେ କାହାରି ଘରେ ଖଟ ନାହିଁ । ଫଳରେ ଲୋକମାନେ ଜଙ୍ଗଲରୁ ଖଜୁରିପାଲ ସଂଗ୍ରହ କରି ଓ ତହିଁରୁ ପଟିଆ ବୁଣି ଚଟାଣ ଉପରେ ପଟିଆରେ ଶୋଉଥିବା ବେଳେ , କେହି କେହି କପଡ଼ା ପକାଇ ଖରା ବର୍ଷା, ଶୀତ ସବୁଦିନେ ତଳେ ଶୋଇଥାନ୍ତି । ଏପରିକି ଖଟରେ ଶୋଇଲେ କୁଆଡ଼େ ଗ୍ରାମଦେବୀ ବାହାରି ଖଟକୁ ଓଲଟାଇ ଦେବା ସହ ବହୁ ଅଘଟଣ ଗ୍ରାମରେ ଘଟିବ । ସାପ ବିଛା ବାହାରି ଦଂଶନ କରିଥାନ୍ତି ବୋଲି ଆଜି ବି ଲୋକଙ୍କ ମନରେ ଏହି ଡର ରହିଛି ।