ଦେବଗଡ: ରିଆମାଳ ବ୍ଲକରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ଶନିବାର ଅପରାହ୍ନରେ ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ରିଆମାଳ, ଆଡସ, ତାରଙ୍ଗ, ଟୁହିଲାମାଲ, ନାଉଳିପଡା, ବୁଡିଡୋ ଓ ମଲେହିପଡା ଆଦି 7 ଖଣ୍ଡ ପଞ୍ଚାୟତର ବିଭିନ୍ନ ଗାଁରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା ।
ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବେଗରେ ପବନ ବୋହିବା ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା । ଫଳରେ ରାସ୍ତା ଉପରେ ବଡ ବଡ ଗଛ ଭାଙ୍ଗି ପଡିବା ସହିତ ଶତାଧିକ ସଂଖାରେ ଘରର ଛାତ ଉଡି ଯାଇଥିଲା । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ତାର ରାସ୍ତା ଉପରେ ଓହଳି ପଡ଼ିଥିବାରୁ ସମଗ୍ର ଅଞ୍ଚଳରର ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ବିଶେଷ କରି ବହୁ ସଂଖାରେ ଗରିବ ଲୋକଙ୍କ ଘରଦ୍ବାର ଓ ଖାଦ୍ୟ ଶସ୍ୟ ନଷ୍ଟ ହୋଇଯିବାରୁ ସେମାନେ ପଲିଥିନ ତଳେ ଭୋକ ଉପାସରେ ରାତି ବିତାଇଛନ୍ତି ।