ଦେବଗଡ:ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଖଣ୍ଡିଏ ଘର, ନା ମିଳୁଛି ସରକାରୀ ସହାୟତା । ସରକାରୀ ଯୋଜନା ଯେପରି ସାତସ୍ବପ୍ନ ପାଲଟିଛି । ଏଭଳି ଦୟନୀୟ ଅବସ୍ଥାରେ ଆଜକୁ ଦୀର୍ଘ ବର୍ଷ ହେଲା ସାତପ୍ରାଣୀ କୁଟୁମ୍ବଙ୍କୁ ନେଇ ଦିନକାଟୁଛନ୍ତି ରିଆମାଳ ବ୍ଲକ କମଳିବନ୍ଧ ଗାଁର ଏକ ଗରିବ ଆଦିବାସୀ ପରିବାର ।
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୋଲବସା ପଞ୍ଚାୟତ କମଳିବନ୍ଧ ଗାଁର 22 ବର୍ଷୀୟ ଆଦିବାସୀ ଯୁବକ ଆଲବ୍ରଟ ଭେଙ୍ଗରା । ଆଜକୁ ଦୀର୍ଘ 10 ବର୍ଷ ପୂର୍ବରୁ ପିତା ସନ୍ତୋଷ ଭେଙ୍ଗରା ଓ ମା ଶୁଶିଳା ଭେଙ୍ଗରାଙ୍କ ମୃତ୍ୟୁ ହେବା ପରଠାରୁ ପରିବାରର ଦାୟିତ୍ବ ଆଦିବାସୀ ଯୁବକ ଜଣକଙ୍କ କାନ୍ଧରେ । ପରିବାର କହିଲେ ନିଜ ସ୍ତ୍ରୀ , ଶିଶୁପୁତ୍ର , ଦୁଇ ଭାଇ ଓ ଦୁଇ ଭଉଣୀ । ଭାଇଭଉଣୀଙ୍କ ମଧ୍ୟରୁ 2 ଭଉଣୀ ଓ ଜଣେ ଭାଇ ନାବାଳକ । ଏହି 7ପ୍ରାଣୀ କୁଟୁମ୍ବଙ୍କୁ ନେଇ ଗାଁ ମୁଣ୍ଡରେ ଗାଈ ଗୁହାଳ ସଦୃଶ ଥିବା ଏକ ଝାଟିମାଟି କୁଡ଼ିଆରେ ଅତି ଦୟନୀୟ ଭାବେ ବସବାସ କରି ଆସୁଛନ୍ତି ଏହି ଯୁବକ ଜଣକ । ରାସନ କାର୍ଡ଼ ଖଣ୍ଡିଏ ନଥିବାରୁ ସରକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ପେଟ ପୋଷିବାକୁ ପରିବାରର ସମସ୍ତେ ଦିନମଜୁରୀ କରିବାକୁ ବାଧ୍ୟ ହେଉଛନ୍ତି । କାମ ନମିଳିଲେ ଭୋକ ଉପାସରେ ଦିନ କଟୁଛି ।