ଦେବଗଡ:ଫେଲ ମାରିଛି ସରକାରଙ୍କ ସ୍ମାଟ ଆଲୋକୀକରଣ ଯୋଜନା । ଦେବଗଡ ପୌରପାଳିକାରେ ଦୀର୍ଘ ଛଅମାସ ହେବ ଗ୍ରୀନ ଫିଲଡ଼ ସ୍ମାର୍ଟ ଏଲଇଡ଼ି ଯୋଜନାରେ ବିଭିନ୍ନ ସ୍ଥାନରେ ଏଲଇଡି ଲାଇଟ ଲାଗିଥିଲେ ମଧ୍ୟ ସେଥିରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପୌରାଞ୍ଚଳରେ ଷ୍ଟ୍ରୀଟ ଲାଇଟ ନଥିବା ଅଞ୍ଚଳଗୁଡିକରେ ବିଦ୍ୟୁତ ପୋଲ ଓ ଏଲଇଡ଼ି ଲାଇଟ ଲଗାଇ ଆଲୋକୀକରଣ କରାଯିବା ଲକ୍ଷରେ ସରକାର ଗତ 2019 ମସିହାରେ ଦେବଗଡ଼ ପୌରାଞ୍ଚଳରେ କାର୍ଯ୍ୟକାରୀ କରିଥିଲେ 'ଗ୍ରୀନ ଫିଲଡ଼ ସ୍ମାର୍ଟ ଏଲଇଡି' ( Green Field Smart LED ) ଯୋଜନା । ଏହି ଯୋଜନାରେ ନିୟୋଜିତ ଠିକାସଂସ୍ଥା ଛଅ ମାସ ପୂର୍ବରୁ ଦେବଗଡ଼ ସହରାଞ୍ଚଳ ଝାଡଶ୍ବର ମନ୍ଦିର , ଚଡକ ମରା , ଗୋବିନ୍ଦପୁର , ମୋହିନୀପୁର , ଜାଙ୍ଗଲିକୁଦର ଆଦି ଅଞ୍ଚଳରେ 1500ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ପୋଲ ପୋତି ସେଠାରେ ବିଦ୍ୟୁତ ଉପକରଣ ତଥା ସ୍ମାର୍ଟ ଏଲଇଡ଼ି ଲାଇଟ ଖଞ୍ଜିଥିବା ଦେଖାଯାଇଛି । ମାତ୍ର ବିଡମ୍ବନାର ବିଷୟ ହେଲା , ଇତି ମଧ୍ୟରେ ଦୀର୍ଘ ଛଅମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଠାରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ । ଫଳରେ ସେହି ଅଞ୍ଚଳଗୁଡିକ ଯେମିତି ଆନ୍ଧାର ଥିଲା ସେମିତି ହିଁ ଅନ୍ଧାର ରହିଛି ।