ଦେବଗଡ: ସ୍ବାଧୀନତାକୁ 75 ବର୍ଷ ପୂରଣ ହୋଇଛି । ହେଲେ ଏବେ ବି ନା ବଦଳିନି ଚିତ୍ର ନା ସ୍ବାଭାବିକ ହୋଇଛି ଜୀବନ । ସରକାରୀ ଯୋଜନା ଅପହଞ୍ଚ ଥିବାରୁ ସମସ୍ୟା ଭୋଗୁଛନ୍ତି ଲୋକ । ବିଶେଷ କରି ଭଲ ରାସ୍ତାଟିଏ ନଥିବାରୁ ଯାତାୟତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକ । ବିଶେଷ କରି ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି । କେଉଁଠି ମୋ ସ୍କୁଲରେ ସ୍କୁଲକୁ ନୂଆ ରୂପ ଦିଆଯାଉଛି ହେଲେ କେଉଁଠି ଆଦୌ ସ୍କୁଲଟିଏ ନାହିଁ । ଦେବଗଡ ଜିଲ୍ଲାରୁ ଆସିଛି ଏପରି କିଛି ଚିତ୍ର ଯାହା ସରକାରଙ୍କ ବିଫଳତାକୁ ଦର୍ଶାଇଛି । ଏଠି ପାଠପଢା ପାଇଁ ଜଳଯାତ୍ରା କରିବାକୁ ପଡୁଛି । ଗାଁରେ ସ୍କୁଲ ନଥିବାକୁ ଜିଲ୍ଲା ଖଇରପାଲି ଗାଁର କୁନି କୁନି ପିଲା ଡଙ୍ଗାରେ ସ୍କୁଲ ଯାଉଛନ୍ତି । ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଯାହା ବିପଦପୂର୍ଣ୍ଣ ହୋଇଛି ।
ଖଇରପାଲି ଗାଁରେ ନାହିଁ ପ୍ରାଥମିକ ସ୍କୁଲ
ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଖଇରପାଲି ଗାଁ । ଏହି ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ । ଗାଁରୁ ପିଲାଏ ପ୍ରତିଦିନ ସିଆରୀମାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାନ୍ତି । ତେବେ ସମସ୍ୟା ହେଲା ମୁଖ୍ୟ ସଡକ ପଥ ଦେଇ ବିଦ୍ୟାଳୟକୁ ଯିବାକୁ ହେଲେ ପ୍ରାୟ 5 କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିଥାଏ । ତେଣୁ ଏହା ଅଧିକ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ ହୋଇଥିବାରୁ ଅଭିଭାବକ ମାନେ ଏହାର ବିକଳ୍ପ ଭାବେ ଗାଁ ନିକଟସ୍ଥ ରେଙ୍ଗାଲି ଜଳଭଣ୍ଡାରକୁ ମାଛମାରା ଡଙ୍ଗା ସାହାଯ୍ୟରେ ପାରି କରାଇ ପିଲାଙ୍କୁ ବିଦ୍ୟାଳୟକୁ ପଠାଇ ଆସୁଛନ୍ତି । ଯାହାକି ଅଧିକ ବିପଦପୂର୍ଣ୍ଣ ହୋଇଛି । ସାମାନ୍ୟ ଅସାବଧାନତା ହେଲେ ଡଙ୍ଗା ବୁଡିଯିବାର ସମ୍ଭାବନା ରହିଛି । ତଥାପି ନିଜ ଜୀବନକୁ ବାଜି ଲଗାଇ ଵିସ୍ତୀର୍ଣ୍ଣ ଜଳଭଣ୍ଡାର ଅତିକ୍ରମ କରି ପିଲାଏ ପାଠ ପଢିବାକୁ ଯାଇଥାନ୍ତି ।