ଦେବଗଡ଼:ସ୍କୁଲ ଅଛି, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି । ନିୟମିତ ପାଠପଢ଼ା ବି ଚାଲିଛି । ସ୍କୁଲରେ ପାକଶାଳା ଓ ରନ୍ଧନ ଉପକରଣ ମଧ୍ୟ ମହଜୁଦ ଅଛି । ହେଲେ ସରକାରୀ ନିୟମ ଅନୁଯାୟୀ ଏଠାରେ ପିଲାଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ କିମ୍ବା ସ୍କୁଲ ୟୁନିଫର୍ମ । ଅଧିକାଂଶ ଦିନ ଛାତ୍ରଛାତ୍ରୀ ଭୋକ ଉପାସରେ ପାଠ ପଢୁଥିବା ବେଳେ ଖଣ୍ଡିଏ ଲେଖାଏଁ ଘର ପିନ୍ଧା ପୋଷାକରେ ନିୟମିତ ସ୍କୁଲ୍କୁ ଆସୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ପିଲାଏ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବିଛଣାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ।
ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡଛାପଲ ପଞ୍ଚାୟତ ଅନ୍ତର୍ଗତ ବିଛଣାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟଟି 2009 ମସିହାରେ ସ୍ଥାପିତ ହୋଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଛଣାପୁର ବିଦ୍ୟାଳୟରେ ଚଳିତ ବର୍ଷ 20 ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ପିଲାଙ୍କୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ନିୟମିତ ଭାବେ ଏହି ବିଦ୍ୟାଳୟ ଚାଲିଛି । ତେବେ ଘୋର ପରିତାପର ବିଷୟ ଯେ, ଏଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କିମ୍ବା ସ୍କୁଲ ୟୁନିଫର୍ମ ପୋଷାକ ମିଳୁନି ।
ନିୟମିତ ମଧ୍ୟାହ୍ନ ଭୋଜନ ଦିଆଯିବା ପାଇଁ ବିଦ୍ୟାଳୟ ପରିସରରେ ପାକଶାଳା ଏବଂ ରୋଷେଇ ପାଇଁ ବିଭିନ୍ନ ଉପକରଣ ରହିଛି । ରୋଷେୟା ବି ମାସକୁ ମାସ ପାରିଶ୍ରମିକ ନେଉଛନ୍ତି । ହେଲେ ନା ଏଠାରେ କେବେ ହେଉଛି ରୋଷେଇ ନା ପିଲାଙ୍କୁ ମିଳୁଛି ରନ୍ଧାଖାଦ୍ୟ । ମଧ୍ୟାହ୍ନରେ ପିଲାମାନେ ଘରକୁ ଖାଇବାକୁ ଯାଉଛନ୍ତି । ଅଧିକାଂଶ ଦିନ ବର୍ଷା ଯୋଗୁଁ ପିଲାମାନେ ଘରକୁ ଯାଇ ନପାରି ଭୋକ ଉପାସରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ୟୁନିଫର୍ମ ମିଳୁନଥିବାରୁ ଛାତ୍ରଛାତ୍ରୀ ଘରେ ପିନ୍ଧୁଥିବା ପୋଷାକ ପିନ୍ଧି ସ୍କୁଲକୁ ଆସୁଛନ୍ତି । କୋରୋନା ମହାମାରୀ ପରେ ବିଦ୍ୟାଳୟ ଖୋଲିବା ପରଠାରୁ ଏଠାରେ ଏଭଳି ସମସ୍ୟା ଦେଖାଦେଇଛି ।